ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ନିଜ ର ନାବାଳକ ପିଲାମାନଙ୍କୁ ଭିକ ମାଗିବାକୁ ବାଧ୍ୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ଜଣେ ୪୦ ବର୍ଷୀୟ ମହିଳା । ଏହି ଘଟଣାର ଖୁଲାସ ଏକ ଏନଜିଓ ସଂସ୍ଥା କରିବାପରେ ମହିଳାଙ୍କୁ ଗିରଫ କରିଛି ଇନ୍ଦୋର ପୋଲିସ ।
ଏହି ଘଟଣାରେ ଇନ୍ଦୋରକୁ ଭିକାରି ମୁକ୍ତ କରିବାକୁ ପ୍ରଶାସନ ସହ ମିଶି କାମ କରୁଥିବା ଏକ ଏନଜିଓ ସଂସ୍ଥା ‘ପ୍ରବେଶ’ ର ଅଧ୍ୟକ୍ଷ ରୁପାଲି ଜୈନ କହିଛନ୍ତି ଯେ, “ଆମେ ଇନ୍ଦୋର-ଉଜୈନ ରାସ୍ତାର ଲୁଭ-କୁଶ ଛକ ନିକଟରେ ଭିକ ମାଗୁଥିବାର ଇନ୍ଦ୍ରା ବାଇ ନାମକ ଜଣେ ମହିଳାଙ୍କୁ ଧରିଥିଲୁ । ତାଙ୍କ ନିକଟରୁ ନଗଦ ୧୯ ହଜାର ୨୦୦ ଟଙ୍କା ପାଇଲୁ ।” ଜୈନଙ୍କ କହିବା ଅନୁଯାୟୀ, ମହିଳା ମାତ୍ର ୪୫ ଦିନରେ ଭିକ ମାଗି ୨.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଏହି କାମରେ ସେ ତାଙ୍କର ୮ ବର୍ଷର ଝିଅ ସହିତ ତିନି ଜଣ ନାବାଳକ ପିଲାଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି ।
ଇନ୍ଦ୍ରା ତାଙ୍କୁ କହିଥିଲେ ଯେ, ସେ ଗତ ୪୫ ଦିନ ମଧ୍ୟରେ ଭିକ୍ଷା ମାଗି ୨.୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି, ସେଥିମଧ୍ୟରୁ ସେ ତାଙ୍କ ଶାଶୁ-ଶଶ୍ବୁରଙ୍କୁ ୧ ଟଙ୍କା ପଠାଇଛନ୍ତି, ବ୍ୟାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଛନ୍ତି ଏବଂ ୫୦ ହଜାର ଟଙ୍କା ଏଫଡି ମାରିଛନ୍ତି ।
ମହିଳାଙ୍କ ପରିବାର ରାଜସ୍ଥାନରେ ରହୁଥିବାବେଳେ, ମହିଳାଙ୍କ ନାଁ ରେ ଦୁଇ ମହଲା ଘର ମଧ୍ୟ ଅଛି । ଜୈନ କହିଛନ୍ତି, “ତାଙ୍କ ସ୍ୱାମୀ ଇନ୍ଦ୍ରାଙ୍କ ନାମରେ ଏକ ବାଇକ କିଣିଛନ୍ତି । ଭିକ ମାଗିବା ପରେ ସେ ଏବଂ ତାଙ୍କ ସ୍ୱାମୀ ଏହି ବାଇକରେ ସହର ସାରା ବୁଲନ୍ତି”। ଏହି ଖବର ପାଇବା ପରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed.