Latest Odisha News

BREAKING NEWS

ଭୁବନେଶ୍ବରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ ସ୍ଵସ୍ତିକ

ଭୁବନେଶ୍ବର: ରାଜଧାନୀ ଟଙ୍କପାଣି ସ୍ଥିତ ସାଇ ମନ୍ଦିର ଛକ ନିକଟରେ ଖୋଲିଲା ଫିଲ୍ମ ସୁଟିଂ ପାଇଁ ନିର୍ମିତ ଅତ୍ୟାଧୁନିକ ଷ୍ଟୁଡିଓ ସ୍ଵସ୍ତିକ । ପବିତ୍ର ସରସ୍ଵତୀ ପୂଜା ଅବସରରେ ଏହା ଉନ୍ମୋଚିତ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଜଗତ ସହ ସମ୍ପୃକ୍ତ ବହୁ ପ୍ରଯୋଜନା ସଂସ୍ଥା, ସେମାନଙ୍କର ପଦାଧିକାରୀ, ନିର୍ମାତା, ନିର୍ଦ୍ଦେଶକ, ଅଭିନେତା ଅଭିନେତ୍ରୀମାନେ ଯୋଗ ଦେଇଥିଲେ ।

ଦିନକୁ ଦିନ ଚଳଚ୍ଚିତ୍ର ଓ ଧାରାବାହିକର ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ନିର୍ମାତା ନିର୍ଦ୍ଦେଶକଙ୍କ ଚାହିଦା ପୂରଣ କରିବାରେ ଏହା ସକ୍ଷମ ହେବ ବୋଲି କୁହାଯାଇପାରେ । ୯୦/୧୨୦ ଫୁଟ୍ ପରିମିତ ଜାଗାରେ ନିର୍ମିତ ଏହି ଷ୍ଟୁଡ଼ିଓରେ ଥାନା, ହାଜତ, ଜେଲ, ଡାକ୍ତର ଖାନା, ଅପରେସନ ଥିଏଟର, ଆଇସିୟୁ, ବାର୍, ରେଷ୍ଟୁରାଣ୍ଟ, ହସ୍ପିଟାଲ କରିଡ଼ର, ପୁରୁଣା କାଳିଆ ଜମିଦାର ଘର, କର୍ପୋରେଟ ଅଫିସ, କୋର୍ଟ ରୁମ୍ ପ୍ରଭୃତି ରହିଛି ।

ଏହା ସହିତ ଦୁଇଟି ବଡ଼ ବଡ଼ ସେଡ୍ ମଧ୍ୟ ଅଛି ଯାହାକୁ ଚଳଚ୍ଚିତ୍ର, ଧାରାବାହିକ ଓ ରିଏଲିଟି ଶୋ’ ର ନିୟମିତ ତଥା ସ୍ଥାୟୀ ସେଟ୍ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଆଗରୁ ସାମାନ୍ୟତମ ସୁବିଧା ମିଳୁ ନଥିବାରୁ ଓଡ଼ିଆ ପ୍ରଯୋଜକଙ୍କୁ ହାଇଦ୍ରାବାଦ କି ଚେନ୍ନାଇ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା । ହେଲେ ଏବେ ହାତ ପାହାନ୍ତାରେ ସେଇ ସବୁ ସୁବିଧା ସୁଯୋଗ ଉପଲବ୍ଧ ଥିବାରୁ ପ୍ରଯୋଜନା ସଂସ୍ଥାମାନେ ଏହାର ବିଶେଷ ଫାଇଦା ନେଇ ପାରିବେ ।

ଏହା ସହରର ଉପକଣ୍ଠରେ ହୋଇଥିବାରୁ ଯାତାୟାତ ଖର୍ଚ୍ଚ ସାଙ୍ଗକୁ ସମୟ ବି ବଞ୍ଚିବ । ରୂପରେଖ ଓ ଉପାଦେୟତା ଦୃଷ୍ଟିରୁ ରାଜ୍ୟର ଏକ ପ୍ରମୁଖ ଷ୍ଟୁଡ଼ିଓ ଭାବେ ଏହା ପରିଗଣିତ ହେବ । କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରର ପ୍ରଯୋଜକଙ୍କୁ ମଧ୍ୟ ଏହା ଆକୃଷ୍ଟ କରିବ । ଏପରି ଏକ ଅତ୍ୟାଧୁନିକ ଷ୍ଟୁଡିଓର ପରିକଳ୍ପନା କରିଛନ୍ତି ସଂଗ୍ରାମ କେଶରୀ ପାଇକରାୟ ଓ ଏହାକୁ ଅବିକଳ ରୂପରେଖ ଦେଇଛନ୍ତି କଳା ନିର୍ଦ୍ଦେଶକ ସୁବାସ ସାହୁ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ର ତାରକା ଶୁଭାଶିଷ ଶର୍ମା ଓ ଅନିଶା ଏହାକୁ ଲୋକାର୍ପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ ପ୍ରଯୋଜକ ଶ୍ରୀଧର ମାର୍ଥା, ଏନ୍. ଗଙ୍ଗାଧର ରେଡ୍ଡୀ, ତପନ ଦାଶ, ପ୍ରଯୋଜିକା ବିନି ସାମଲ, ନିର୍ଦ୍ଦେଶକ ଗୌରୀ ଶଙ୍କର ପଣ୍ଡା, ମହେଶ ହାଜରା, ସନ୍ତୋଷ ପଣ୍ଡା, ତାପସ ସରଘରିଆ, ଶକ୍ତି ବରାଳ, ଅଶ୍ୱିନୀ ତ୍ରିପାଠୀ, ସଞ୍ଜୟ କୁମାର ମହଲା, ନୃତ୍ୟ ନିର୍ଦ୍ଦେଶକ ବିଦୁ ଓ ଅମିତ୍ । ଉତ୍ସବର ସଂଯୋଜନା କରିଥିଲେ ଅଭିନେତ୍ରୀ ତଥା ଉପସ୍ଥାପିକା ମଧୁମିତା ମହାନ୍ତି । ପରିଶେଷରେ ନୃତ୍ୟଗୀତ ପରିବେଷଣ କରାଯାଇଥିଲା ।

Comments are closed.