Latest Odisha News

ଆଜିଠୁ ଯୁକ୍ତ ୨ ପରୀକ୍ଷା; ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ଗୋଟିଏ ସିଫ୍ଟରେ ହେବ ପରୀକ୍ଷା । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଆଜିଠାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ, ମେ ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶିତ ହେବ ।

ତେବେ ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ୧୫ମିନିଟ୍ ପୂର୍ବରୁ ପରୀକ୍ଷା ହଲରେ ପ୍ରବେଶ କରିବେ ଏବଂ ୧୦ ମିନିଟ୍ ପୂର୍ବରୁ ଉତ୍ତରଖାତା ଓ ୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ଉତ୍ତରଖାତାର ସିରିୟଲ ନଂ ଏବଂ ପୃଷ୍ଠାସଂଖ୍ୟା ଭଲଭାବରେ ଦେଖିନେବେ ଯଦି ତ୍ରୁଟି ଥାଏ ତେବେ ତୁରନ୍ତ ଜଣାଇବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରଶ୍ନପତ୍ରରେ ରୋଲ୍‌ ନଂ ଛଡ଼ା ଅନ୍ୟ କୌଣସି ଦାଗଲାଗିଲେ ସଙ୍ଗେ ସଙ୍ଗେ ଏମ୍‌ପି ହୋଇଯିବେ ପରୀକ୍ଷାର୍ଥୀ । ଉତ୍ତର ଖାତାରେ ନିଜର ରୋଲ ନଂ, ରେଜିଷ୍ଟ୍ରେସନ ନଂ ଠିକ୍‌ ଭାବରେ ଠିକ୍‌ ଜାଗାରେ ଲେଖିବେ । ପରୀକ୍ଷା ହଲକୁ କଳା ବଲ୍‌ ପେନ ଏବଂ ଆଡ୍‌ମିଟ୍‌ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ପରୀକ୍ଷା ହଲ୍ ସମେତ ପ୍ରଶ୍ନପତ୍ର ଥିବା ହଲରୁ ଲାଇଭ ଷ୍ଟ୍ରିମିଂ ହେବ ।

ଚଳିତବର୍ଷ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ପୁଅ ପରୀକ୍ଷା ଦେଉଥିବା ବେଳେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ରହିଛନ୍ତି । କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.