ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଓଡ଼ିଶା ପକ୍ଷରୁ ମାଟ୍ରିକ୍ ପରୀକ୍ଷା ୨୦୨୪କୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହି ପରୀକ୍ଷାରେ ଅନିୟମିତତା ଓ ବିବାଦ ଲାଗି ରହିଛି। ଆଉ ବିବାଦ ପରେ ବୋର୍ଡ କର୍ତ୍ତୃପକ୍ଷ ଭାଇରାଲ ପ୍ରଶ୍ନପତ୍ର ଏବଂ ପରୀକ୍ଷାରେ ପଡିଥିବା ପ୍ରଶ୍ୱପତ୍ର କିଭଳି ସମାନ ହେଲା ତାର ସ୍ପଷ୍ଚୀକରଣ ନରଖି ଭାଇରାଲ ପ୍ରଶ୍ନ ଗଣମାଧ୍ୟମର ମନଗଢା କାହାଣୀ ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି।
ସୋମବାର ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ସଦ୍ୟତମ ବିବାଦ ସୃଷ୍ଟି ହୋଇଛି। ଶନିବାର ଇଂରାଜୀ ପେପର ଲିକ୍ ଅଭିଯୋଗ ଆସିବା ପରେ ଏହି ଘଟଣା ଘଟିଛି।
ସୂଚନାଯୋଗ୍ୟ, ନିକଟରେ ଗଣିତ ପରୀକ୍ଷା ଶେଷ କରିଥିବା ଅନେକ ଛାତ୍ରଛାତ୍ରୀ ଦାବି କରିଛନ୍ତି ଯେ, ପରୀକ୍ଷା ହଲରେ ଯେଉଁ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ତାହା ହ୍ୱାଟସଆପରେ ଭାଇରାଲ ପ୍ରଶ୍ନ ସହ ସମାନ।
କଟକର ଜଣେ ଦଶମ ଶ୍ରେଣୀ ଛାତ୍ରୀ କହିଛନ୍ତି, ମୁଁ ପ୍ରଶ୍ନପତ୍ରର ସେଟ୍ ସି ପାଇଥିଲି। ପରୀକ୍ଷା ହଲ୍ ରେ ଆମେ ଯେଉଁ ପ୍ରଶ୍ନର ଉତ୍ତର ଦେଇଥିଲୁ, ତାହା ଭାଇରାଲ ହେଉଥିବା ପ୍ରଶ୍ନ ଭଳି।
କଟକ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହି ପ୍ରଶ୍ନ ଭାଇରାଲ ହୋଇଛି। ମୁଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛି ଯେ ଗଣିତ ପରୀକ୍ଷା ପୁନଃ ଆୟୋଜନ କରି ଆମ ସମସ୍ତଙ୍କୁ ଦଣ୍ଡିତ କରନ୍ତୁ ନାହିଁ। ସେମାନେ କେବଳ ଦାୟୀ ବ୍ୟକ୍ତିଙ୍କୁ ଉତ୍ତରଦାୟୀ କରିବା ଉଚିତ୍ । ଏପରିକି ଶନିବାର ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହୋଇଥିଲେ ମଧ୍ୟ ଏହା କେବଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଭାଇରାଲ ହୋଇଥିଲା।
ଗଣିତ ପରୀକ୍ଷାର ସେଟ୍ ଡିରେ ଉତ୍ତର ଦେଇଥିବା ଅନ୍ୟ ଜଣେ ଛାତ୍ରୀ ଆଜି କହିଛନ୍ତି, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରଶ୍ନପତ୍ର ଗୁଡ଼ିକ ଠିକ୍ ସେହିଭଳି ଯେପରି ମୁଁ ପରୀକ୍ଷାରେ ଉତ୍ତର ଦେଇଥିଲି। ଏହା କିଛି ଅସାଧୁ ବ୍ୟକ୍ତିଙ୍କ କାମ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି। ମୁଁ ବୋର୍ଡକୁ ଅନୁରୋଧ କରିବାକୁ ଚାହୁଁଛି ଯେ ପରୀକ୍ଷା ପୁନଃ ଆୟୋଜନ କରନ୍ତୁ ନାହିଁ।
ସୋମବାର ଗଣିତ ପରୀକ୍ଷାର ସେଟ୍ ସି ଓ ଡିର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ତେବେ ପରେ ବିଏସଇ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ।
ବିଏସଇ ସଭାପତି ଶ୍ରୀକାନ୍ତ ତରାଇ ଗଣମାଧ୍ୟମକୁ କହିଛନ୍ତି, ଆମେ ନିରପେକ୍ଷ ଭାବେ ପରୀକ୍ଷା ଆୟୋଜନ କରିଛୁ। ଭାଇରାଲ ପ୍ରଶ୍ନପତ୍ର ଗଣମାଧ୍ୟମର ମନଗଢା କାହାଣୀ। ସେହିପରି ବୋର୍ଡର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଥିବା ବେଳେ ଏହି ପ୍ରସଙ୍ଗ ଉଠିବା ଉଚିତ୍ ଥିଲା। ଏବେ ପରୀକ୍ଷା ଶେଷ ହୋଇସାରିଛି। ଏ ସଂକ୍ରାନ୍ତରେ ଆମେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପାଇନାହୁଁ। ତେଣୁ ଲିକ୍ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।
ଏବେ ପ୍ରଶ୍ନ ଉଠୁଛି ପରୀକ୍ଷାକୁ ନେଇ ଏବେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଯେଉଁ ସବୁ ପ୍ରଶ୍ନ ଉଠୁଛି ତାର ଜବାବ କଣ ଦେଇପାରିବେ ବୋର୍ଡ କର୍ତ୍ତୃପକ୍ଷ?
Comments are closed.