Latest Odisha News

BREAKING NEWS

ରାଫେଲ୍ ଚକା ତଳେ ଲେମ୍ବୁ

ରାଫେଲ୍ ଚକା ତଳେ ଲେମ୍ବୁ

ବିଚିତ୍ର ବିଶ୍ୱାଳ

ଯେଉଁ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ନିର୍ବାଚନ ସମୟରେ ଭାରତୀୟ ରାଜନୀତି ଗରମ ହୋଇଯାଇଥିଲା, ତାହା ଏବେ ପୁଣି ଥରେ ଚର୍ଚ୍ଚାର ଶିରୋନାମା ହୋଇଛି । ଏଥର ଚର୍ଚ୍ଚା ରାଫେଲ୍ ଦାମ୍ କିମ୍ବା ଦୁର୍ନୀତିକୁ ନେଇ ନୁହେଁ । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଫେଲ୍ ଆଣିବାକୁ ଫ୍ରାନ୍ସ ଯାଇ ଦଶହରା ଦିନ ରାଫେଲ୍ ବିମାନରେ ସିନ୍ଦୂର ଲଗାଇ ଓ ତା ଚକା ତଳେ ଲେମ୍ବୁ ଥୋଇ ପୂଜା କରୁଥିବାର ଦେଖିବାକୁ ମିଳୁଛି । ଏହାକୁ ଅନେକ ହେତୁବାଦୀ ଓ ବୈଜ୍ଞାନିକ ଚିନ୍ତାଧାରାର ଲୋକେ ଅତ୍ୟନ୍ତ ନାପସନ୍ଦ କରିଛନ୍ତି ଓ ଏହା ହାସ୍ୟାସ୍ପଦ ବୋଲି ମତ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ରାଫେଲ୍ ରେ ସିନ୍ଦୂର ଲଗାଉଥିବା ଓ ଚକା ତଳେ ଲେମ୍ବୁ ଥିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ରାଫେଲ୍ ବିମାନ ହେଉଛି ଯାନ୍ତ୍ରିକ ଜ୍ଞାନକୌଶଳର ଅନ୍ୟତମ ସର୍ବୋତ୍କୃଷ୍ଟ ସୃଷ୍ଟି । ନିଜ ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବା ପାଇଁ ତଥା ଶତ୍ରୁ ମାନଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଭାରତ ଫ୍ରାନ୍ସଠାରୁ ଏହାକୁ କିଣିଛି । ଶତ୍ରୁମାନଙ୍କଠାରୁ ଦେଶକୁ ରକ୍ଷା କରିବାକୁ ଯେଉଁ ରାଫେଲ୍ ନିର୍ମିତ ସେହି ରାଫେଲ୍କୁ କେଉଁ ଦୁଷ୍ଟ ଶକ୍ତିଠାରୁ ରକ୍ଷା କରିବା ପାଇଁ ସେଥିରେ ସିନ୍ଦୂର ଲଗାଯାଉଛି ଓ ତା ଚକା ତଳେ ଲେମ୍ବୁ ରଖାଯାଉଛି ବୋଲି ବୈଜ୍ଞାନିକ ଚିନ୍ତାଧାରା ପୋଷଣ କରୁଥିବା ବ୍ୟକ୍ତିମାନେ ପ୍ରଶ୍ନ କରୁଛନ୍ତି ।

ପୂଜା ଏକ ବିଶ୍ୱାସର ବିଷୟ । ବିଭିନ୍ନ ଧର୍ମାବଲମ୍ବୀ ମାନେ ନିଜ ଇଷ୍ଟ ଦେବତାକୁ ଭିନ୍ନ ଭିନ୍ନ ଭାବରେ ପୂଜା କରିଥାନ୍ତି । ସେମିତି ହିନ୍ଦୁ ରୀତିନୀତି ଅନୁଯାୟୀ ନୂଆ ଗାଡ଼ି ଆସିଲେ ସେଥିରେ ସିନ୍ଦୂର ଲଗାଯାଇ ବା ତା ଚକାତଳେ ଲେମ୍ବୁ ଫଟାଯାଇ ପୂଜା କରାଯାଇଥାଏ । ଏହା ଭୁଲ କି ଠିକ୍ ଯେତିକି ମହତ୍ୱପୂର୍ଣ୍ଣ ନୁହେଁ, ମୁଖ୍ୟ କଥା ହେଉଛି ଏହା ପଛରେ ଲୋକମାନଙ୍କର ଏକ ବିଶ୍ୱାସ ନିହିତ ଥାଏ । ସେହି ବିଶ୍ୱାସ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଏପରି ହିଁ କରିଛନ୍ତି ବୋଲି ବୁଝାପଡ଼ୁଛି । କିନ୍ତୁ ଏସବୁ ଭିତରେ ଆଉ ଗୋଟିଏ ପ୍ରଶ୍ନକୁ ଆଡ଼ନଜର କରିହେବ ନାହିିଁ । ତାହା ହେଉଛି ଆମେ ସମାଜରେ ବୈଜ୍ଞାନିକ ଚିନ୍ତାଧାରାକୁ ବ୍ୟାପକ କରିବା ନା ଅନ୍ଧବିଶ୍ୱାସକୁ ବ୍ୟାପକ କରିବା!

ସମାଜର ଉପର ସ୍ତରରେ ଥିବା ବା ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟରେ ଲୋକମାନେ ପ୍ରାୟତଃ ଅନୁସରଣ କରିଥାନ୍ତି । ସେମାନଙ୍କ କାର୍ଯ୍ୟଧାରା ଲୋକମାନଙ୍କୁ ପ୍ରେରିତ କରିଥାଏ । ତେଣୁ ସେଲିବ୍ରିଟି ତଥା ନେତୃସ୍ଥାନୀୟ ବ୍ୟକ୍ତି ମାନେ ଅନେକ ଭାବିଚିନ୍ତି ସେମାନଙ୍କ କାର୍ଯ୍ୟ କରିବା ଆବଶ୍ୟକ ହୋଇଥାଏ ।

ଆମେ ଦେଖୁଛେ ଯେ ଏବେ ବି ଆମ ସମାଜରେ ଅନେକ ପ୍ରକାର ଅନ୍ଧବିଶ୍ୱାସ କାୟା ବିସ୍ତାର କରି ରହିଛି । ଯେଉଁଥିପାଇଁ ଅନେକ ନିରୀହ ଲୋକମାନଙ୍କ ଜୀବନ ବି ଯାଉଛି । ଏବେ ବି ରୋଗ ହେଲେ ଆମ ଦେଶର ଲୋକମାନେ ଡାକ୍ତରଖାନାକୁ ଯିବା ପରିବର୍ତ୍ତେ ପ୍ରଥମେ ଗୁଣିଆ ପାଖକୁ ଯାଉଛନ୍ତି ଓ ପରିଣାମ ସ୍ୱରୁପ ରୋଗୀର ଜୀବନ ଯାଉଛି । କୋମଳମତି ଛୋଟ ଛୁଆମାନଙ୍କ ପେଟରେ ଲୁହା ଚେଙ୍କ ଦିଆଯାଉଛି । ଆମ ରାଜ୍ୟରେ ଅନେକ ଜିଲ୍ଲାରେ ଡାହାଣୀ ସନ୍ଦେହରେ ଅସହାୟ ମହିଳାମାନଙ୍କୁ ହତ୍ୟା କରାଯାଉଛି । ଗୁଣୀ ଗାରେଡ଼ି ସନ୍ଦେହରେ ଲୋକମାନଙ୍କୁ ଗାଁ’ରୁ ବାସନ୍ଦ କରାଯାଉଛି ଓ ଗାଁ ବାଲା ମିଶି ହତ୍ୟା କରୁଛନ୍ତି । ଆଜି ଆମେ ଏକବିଂଶ ଶତାବ୍ଦୀରେ ବିଜ୍ଞାନର ଚରମ ବିକାଶର ସୀମାରେ ଥିଲେ ମଧ୍ୟ ପ୍ରତିଦିନ ଖବର କାଗଜରେ ଏପରି ଘଟଣା ଦେଖିବାକୁ ମିଳୁଛି । ଏହା ପଛରେ କାରଣ ହେଉଛି, ଆମେ ଆମ ଶିକ୍ଷା ଓ ଚାଲିଚଳଣରେ ବୈଜ୍ଞାନିକ ଚିନ୍ତାଧାରାକୁ ଆଗକୁ ନେବାରେ ସକ୍ଷମ ହୋଇପାରିନାହୁଁ । ଏପରିକି ଗଣମାଧ୍ୟମମାନଙ୍କରେ ବି ଏପରି ଘଟଣାର ପୁଂଖାନୁପୁଂଖ ତଦନ୍ତ ନକରି ଅନ୍ଧ ଭାବେ ବହୁଳ ପ୍ରଚାର କରାଯାଉଛି । ଶିକ୍ଷାର ବିକାଶ ଅର୍ଥ ଧୀରେଧୀରେ ଆମେ ଅନ୍ଧାରରୁ ଆଲୋକକୁ ଯିବା । ଅନ୍ଧବିଶ୍ୱାସକୁ କବର ଦେଇ ବିଜ୍ଞାନ ସମ୍ମତ ଚିନ୍ତାଧାରାକୁ ବ୍ୟାପକ କରିବା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆମ ଦେଶ ଏପରି କରିବାରେ ଏବେ ବି ବହୁତ ପଛରେ ଅଛି । ସେ ଅତୀତର ପରମ୍ପରା ହେଉ ବା ଅନ୍ଧବିଶ୍ୱାସଭିତ୍ତିକ ରୀତିନୀତି ହେଉ, ସବୁକୁ ଅନୁସରଣ ଓ ଅନୁକରଣ କରିବାରେ ଆମେ ମାତିଛେ । ସବୁ ଘଟଣାକୁ ବିଜ୍ଞାନ ସମ୍ମତ ଭାବେ ଚିନ୍ତା କରିବାର ଅଭ୍ୟାସ ଆମ ନିତିଦିନିଆ ଜୀବନରେ ଆସିନାହିିଁ । ଏହା ହିଁ ଆଜିର ସମୟରେ ଅନେକ ସମସ୍ୟାର ମୁଖ୍ୟ କାରଣ ।

ସମାଜର ଏପରି ସଂକଟଜନକ ସମୟରେ ଯଦି ନେତୃସ୍ଥାନୀୟ ବ୍ୟକ୍ତି ମାନେ ବିଜ୍ଞାନ ସମ୍ମତ ଭାବେ ଚିନ୍ତା ନକରି କେବଳ ରୀତିନୀତିକୁ ପାଳନ କରିବାରେ ନିଜକୁ ସୀମିତ ରଖିବେ, ତେବେ ଏହାର ପ୍ରଭାବ ବି ସାଧାରଣ ଜନଜୀବନରେ ଦେଖିବାକୁ ମିଳିବ । ଯଦି ଆମେ ଭାବୁଛନ୍ତି ଯେ, ରାଫେଲ୍ ଚକା ତଳେ ଲେମ୍ବୁ ଫଟେଇଲେ କିମ୍ବା ରାଫେଲ୍ ଦେହରେ ସିନ୍ଦୂରରେ ଓଁ ଲେଖିଲେ, ରାଫେଲକୁ ଦୁଷ୍ଟ ଶକ୍ତି କବଳରୁ ବଂଚେଇ ହେବ, ତେବେ ଗାଁ’ରେ ଯେଉଁ ଗୁଣିଆଟି କହୁଛି, ପିଲାର ପେଟରେ ଚେଙ୍କ ଦେଲେ ତାକୁ ଡାହାଣୀ କବଳରୁ ବଂଚେଇ ହେବ, ତେବେ ତାକୁ ଆମେ ଅନ୍ଧବିଶ୍ୱାସ କହିବା କିପରି! ସେହିପରି ରୋଗ ହେଲେ ଡାକ୍ତର ପାଖକୁ ନଯାଇ ଗୁଣିଆ ପାଖକୁ ଯିବା ଉଚିତ୍ ବୋଲି ଚିନ୍ତାଧାରାକୁ ଆମେ ଅନ୍ଧବିଶ୍ୱାସ କହିପାରିବା କି? କାରଣ ଉଭୟ ଘଟଣା ପଛରେ ଗୋଟିଏ ହିିଁ ବିଚାର କାମ କରୁଛି, ତାହା ହେଉଛି ବିଜ୍ଞାନ ସମ୍ମତ ଭାବେ ଚିନ୍ତା ନକରି ଅନ୍ଧ ଅନୁକରଣ କରିବା ।

ଆମ ସମସ୍ତଙ୍କ ସାମ୍ନାରେ ଏହା ଏକ ଆହ୍ୱାନ ଯେ, ଆମେ ଆମ ସମାଜକୁ ବିଜ୍ଞାନସମ୍ମତ ଭାବେ ଚିନ୍ତା କରିବା ଶିଖେଇବା ନା ଅନ୍ଧବିଶ୍ୱାସକୁ ଅନ୍ଧ ଅନୁକରଣ କରିବାକୁ ଶିଖେଇବା! ଏଥିପାଇଁ ପ୍ରଥମେ ନେତୃସ୍ଥାନୀୟ ବ୍ୟକ୍ତି ମାନେ ନିଜ କାମ ମାଧ୍ୟମରେ ସାଧାରଣ ଲୋକମାନଙ୍କ ସାମ୍ନାରେ ଉଦାହରଣ ତିଆରି କରିବା ଉଚିତ୍ ।
…………………..
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.