ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ବର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ ଧରପଗଡ଼ ଅଭିଯାନ କଡ଼ାକଡ଼ି ଭାବେ ଚାଲୁଅଛି।
ଏହି ଧରପଗଡ଼ ଅଭିଯାନରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନକୁ ଯାଞ୍ଚ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ମଧ୍ୟ ଧରପଗଡ଼ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଗାଡ଼ି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଛି।
ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଭୁବନେଶ୍ବର ସହରାଞ୍ଚଳରେ ଥିବା ସମସ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୋଟ ୫୪ଟି ଭିନ୍ନଭିନ୍ନ ସ୍ଥାନ ଯଥା- ଗୋପବନ୍ଧୁ ଛକ,ନରାଜମହଲ ଛକ, ମାଷ୍ଟରକାଣ୍ଟିନ୍ ଛକ, ହାଉସିଂ ବୋର୍ଡ ଛକ, ସୁନ୍ଦରପଦା ଛକ, ଏକାମ୍ର ଛକ, ପୋଖରିପୁଟ, ପଳାଶପଲ୍ଲୀ ଛକ, ରବିଟକିଜ ଛକ ଆଦି ସ୍ଥାନରେ ଧରପଗଡ଼ କରାଯାଇଥିବା ବେଳେ ଏହି ଧରପଗଡ଼ ଅଭିଯାନରେ ମୋଟ ୫୪ଜଣ ପୋଲିସ ଅଧିକାରୀ ଏବଂ ଥାନା କର୍ମଚାରୀଙ୍କ ସମତେ ୫୪ସେକ୍ସନ (୧୮ ପ୍ଲାଟୁନ) ପୋଲିସ ଫୋର୍ସ ସାମିଲ ଥିଲେ।
ବୁଧବାର ଭୁବନେଶ୍ବର ସହରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଥାନା ତରଫରୁ ମଦ୍ୟପାନ ଜନିତ ଗାଡି ଚାଳନା ବିରୋଧରେ କରାଯାଇଥିବା ଅଭିଯାନ ମାଧ୍ୟମରେ ମୋଟ ୩୫ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାସହ ସମୁଦାୟ ୨0ଟି ଚାରିଚାକିଆ ଗାଡ଼ି ଓ ୧୫ଟି ଦୁଇଚକିଆ ଗାଡ଼ି ଓ ୮ଟି ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ହେଉଥିବା ଅଭିଯାନ କ୍ରମରେ ଗତ ଜାନୁଆରୀ ମାସରୁ ଏଯାବତ ମୋଟ ୧୫୮ଜଣ ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ମୋଟ ୧୬୮ଟି ଦୁଇ/ ଚାରି ଚକିଆ ଯାନ ଜବତ କରାଯାଇପାରିଛି। ଭୁବନେଶ୍ଵର ସହରାଞ୍ଚଳ ପୋଲିସ ତରଫରୁ “ସେଫ ସିଟି ଡ୍ରାଇଭ” ମାଧ୍ୟମରେ ସର୍ବସାଧାରଣ ଜାଗାରେ ମଦ୍ୟପାନ କରିବା ଓ ମଦ୍ୟପାନ କରି ଗାଡି ଚାଳନ କରିବା ବିରୋଧରେ ଆଗକୁ ମଧ୍ୟ ଜାରିରହିବ।
Comments are closed.