ଥିରୁବନନ୍ତପୁରମ୍: ମମ୍ପସ୍, ଯାହାକୁ ଆମେ ଗାଲୁଆ ମଧ୍ୟ କହିଥାଉ । କେରଳରେ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏହି ରୋଗ । ଗୋଟିଏ ଦିନରେ ରାଜ୍ୟରେ ୧୯୦ଟି ମାମଲା ସାମ୍ନାକୁ ଆସିଛି । କେରଳ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏହାକୁ ମିଶାଇ ଚଳିତ ମାସରେ ୨,୫୦୫ ଜଣ ଏହି ରୋଗରେ ସଂକ୍ରମଣ ହେୋଇଛନ୍ତି । ତେବେ ଆଜିକୁ ମିଶାଇ ଚଳିତ ବର୍ଷ ୧୧;୪୬୭ଜଣ ଏହି ରୋଗରେ ସଂକ୍ରମଣ ହୋଇଛନ୍ତି । ଯାହା ବର୍ତ୍ତମାନ ସ୍ଵାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି । ଏନେଇ ସତର୍କ ସୂଚନା ଜାରି କରିଛି ସ୍ଵାସ୍ଥ୍ୟ ବିଭାଗ । ସ୍ଵାସ୍ଥ୍ୟ ବିଭାଗ କହିଛି ଯେ, ଏହି ସଂକ୍ରମଣକୁ ରୋକିବା ପାଇଁ ଜନସାଧାରଣ ସଚେତନ ହେବା ନିହାତି ଆବଶ୍ୟକ । ପରସ୍ପର ଭିତରେ ଦୂରତା ବଜାୟ ରଖିବା ନିହାତି ଆବଶ୍ୟକ । କାରଣ ଏହି ରୋଗ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ଅତି ଶୀଘ୍ର ବ୍ୟାପିଥାଏ |
ମାୟୋ କ୍ଲିନିକ୍ ଅନୁଯାୟୀ, ମମ୍ପସ୍ ହେଉଛି ଏକ ପ୍ରକାର ଭାଇରାଲ୍ ସଂକ୍ରମଣ, ଯାହା ପାରୋଟିଡ୍ ଗ୍ରନ୍ଥି ଉପରେ ପ୍ରଭାବ ପକାଇଥାଏ । ଏହି ସଂକ୍ରମଣ ଛିଙ୍କି, କାଶ, ପରସ୍ପରକୁ ଚୁମ୍ବନ ଦେବା କିମ୍ବା ଦୂଷିତ ଜଳ ପିଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ | ଏହି ସଂକ୍ରମଣ ଯେକୌଣସି ବ୍ୟକ୍ତିଙ୍କ ନିକଟରେ ଦେଖାଯାଏ, କିନ୍ତୁ ପିଲାମାନେ ଏଥିରେ ଅଧିକ ସଂକ୍ରମିତ ହୁଅନ୍ତି ।
ରୋଗର ଲକ୍ଷଣ
- ବେକ ନିକଟରେ ଫୁଲିଯିବା ସହିତ ଯନ୍ତ୍ରଣା
- ଚୋବାଇବାରେ ଅସୁବିଧା ହେବା
- ଜ୍ୱର
- ମୁଣ୍ଡବିନ୍ଧା
- ମାଂସପେଶୀରେ ଯନ୍ତ୍ରଣା
- କ୍ରମାଗତଭାବେ କ୍ଲାନ୍ତ ଅନୁଭବ କରିବା
- ଭୋକ ନଲାଗିବା
ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, କିଛି କିଛି କ୍ଷେତ୍ରରେ ଏହି ରୋଗ ଅତ୍ୟନ୍ତ ଗମ୍ଭୀର ହୋଇଯାଏ। ଏଥିରେ ପିଲାମାନଙ୍କ ମଧ୍ୟରେ ବଧିରତା ଏବଂ ଏନସେଫାଲାଇଟିସ୍ ଦେଖାସିଏ । ଯେଉଁଥିପାଇଁ ରୋଗୀର ଜୀବନ ମଧ୍ୟ ଯାଇପାରେ । ତେବେ ଏହି ମାମଲା ବହୁ କ୍ୱଚିତ୍ ପରିମାଣରେ ଦେଖାଯାଏ । ତେବେ ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଧିଷ୍ଟ ଉପଶମ ନାହିଁ । ଉଚିତ ଯତ୍ନ ନେଲେ ଏହି ରୋଗ ୩-୪ଦିନରେ ଭଲ ହୋଇଯାଏ । ଯଦି ୩-୪ଦିନରେ ଭଲ ନ ହୁଏ ତେବେ ରୋଗୀର ଲକ୍ଷଣ ଉପରେ ଆଧାର କରି ଚିକିତ୍ସା କରାଯାଏ | ଏହି ରୋଗକୁ ରୋକିବା ପାଇଁ ହେଲେ ସର୍ବପ୍ରଥମେ ଆପଣ କାହାର ଅଇଁଠା ଖାଦ୍ୟ ଖାଇବା ବନ୍ଦ କରନ୍ତୁ । ଏହା ସହିତ, କାଶ କିମ୍ବା ଛିଙ୍କିବା ସମୟରେ ଲୋକଙ୍କଠାରୁ ଦୂରରେ ରୁହନ୍ତୁ | ଏହା ସହିତ, MMR (Mumps-Measles, Rubella) ଟିକା ନିହାତି ଭାବରେ ନିଅନ୍ତୁ ।
Comments are closed.