Latest Odisha News

ପାରାମିଲିଟାରୀ ଫୋର୍ସର ଯବାନଙ୍କ ପାଇଁ ବଡ ଘୋଷଣା, କ୍ୟାଣ୍ଟିନ ସାମଗ୍ରୀ ପାଇଁ ଦେବେ ଅଧା ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ପାରାମିଲିଟାରୀ ଫୋର୍ସକୁ କେନ୍ଦ୍ର ସରକାରଙ୍କ ବଡ ଉପହାର। ପାରାମିଲିଟାରୀ ଫୋର୍ସର ଯବାନ ମାନଙ୍କୁ କ୍ୟାଣ୍ଟିନ ସାମଗ୍ରୀ ଉପରେ ଦେବାକୁ ପଡିବ ମାତ୍ର ୫୦ ପ୍ରତିଶତ ଜିଏସଟି । ଗୃହ ମନ୍ତ୍ରଣାଳୟ CAPF କ୍ୟାଣ୍ଟିନରେ ତଥା କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର (KPKB)ରେ ଉପଲବ୍ଧ ଦ୍ରବ୍ୟ ଉପରେ ୫୦ ପ୍ରତିଶତ ଜିଏସଟି ରିହାତି ଘୋଷଣା କରିଛି । ଏହାଦ୍ଵାରା ଉପକୃତ ହେବେ ୧୧ଲକ୍ଷରୁ ଅଧିକ ଯବାନ । ଏବେ ପାରାମିଲିଟାରୀ ଫୋର୍ସ ଯବାନମାନେ କ୍ୟାଣ୍ଟିନରୁ ଶସ୍ତାରେ ସାମଗ୍ରୀ ପାଇପାରିବେ।

ଗୃହ ମନ୍ତ୍ରଣାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ରିୟ ପୋଲିସ କଲ୍ୟାଣ ଭଣ୍ଡାରରୁ ସାମଗ୍ରୀ କ୍ରୟ ଉପରେ ୫୦ ପ୍ରତିଶତ ଜିଏସଟି ଛାଡ କରାଯାଇଛି । ଏହା ଏପ୍ରିଲ ୧, ୨୦୨୪ରୁ ଲାଗୁ ହେବ। ଏହି ସହାୟତା ବଜେଟ୍ ମାଧ୍ୟମରେ ପ୍ରଦାନ କରାଯିବ | କନଫେଡେରେସନ୍ ଅଫ୍ ଏକ୍ସ ପାରାମିଲିଟାରୀ ଫୋର୍ସ ଶହୀଦ କଲ୍ୟାଣ ସଂଘ ଦୀର୍ଘ ଦିନ ଧରି ଏଥି ପାଇଁ ଦାବି କରିଆସୁଥିଲା | ଆସୋସିଏସନ ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ସ୍ମାରକପତ୍ର ମଧ୍ୟ ଦାଖଲ କରିଥିଲା। ଏହା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କୁ ମଧ୍ୟ ଦାବୀପତ୍ର ପଠାଇଥିଲେ ।

ଏନେଇ ଆସୋସିଏସନ ଚେୟାରମ୍ୟାନ୍ ଏଚଆର ସିଂ ଏବଂ ସାଧାରଣ ସମ୍ପାଦକ ରଣବୀର ସିଂ କହିଛନ୍ତି ଯେ, ପାରାମିଲିଟାରୀ ଫୋର୍ସ କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ୨୦୦୬ ମସିହାରେ କେନ୍ଦ୍ରୀୟ ପୋଲିସ କ୍ୟାଣ୍ଟିନ ପ୍ରତିଷ୍ଠା କରାଯାଇଥିଲା। ଏହାପୂର୍ବରୁ ସେନାର CSD କ୍ୟାଣ୍ଟିନରୁ ସାମଗ୍ରୀ କିଣାଯାଉଥିଲା | ସାରା ଦେଶରେ ପ୍ରାୟ ୧୧୯ ମାଷ୍ଟର କ୍ୟାଣ୍ଟିନ ଏବଂ ୧୭୭୮ ସିପିସି କ୍ୟାଣ୍ଟିନ ଅଛି | ସିପିସି କ୍ୟାଣ୍ଟିନର ନାମ ବଦଳାଇ କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର କରାଯାଇଛି। ଜିଏସଟି ଲାଗୁ ହେବା ପୂର୍ବରୁ ଅନେକ ରାଜ୍ୟ କ୍ୟାଣ୍ଟିନରେ ଉପଲବ୍ଧ ସାମଗ୍ରୀ ଉପରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ରୁ ଛାଡ ଦେଇଥିଲେ। କିନ୍ତୁ, ଜିଏସଟି ଲାଗୁ ହେବା ପରେ କୌଣସି ଛାଡ ମିଳି ନଥିଲା।

 

Comments are closed.