Latest Odisha News

BREAKING NEWS

କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୩ ଗିରଫ

ବାରିପଦା: ବେଆଇନ ଗଞ୍ଜେଇ ଚାଲାଣ ବେଳେ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ, ନଗଦ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଏକ ଦାମୀ କାର୍ ଜବତ କରାଯାଇଛି l ଏହି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଅଞ୍ଚଳରୁ ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ମୀପୋଷି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଏକ କାରରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଚାଲାଣ ହେଉଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହାପରେ ପୋଲିସର ଏକ ଦଳ ଘଟଣାସ୍ଥଳରେ ନାକାବନ୍ଦୀ କରି ଯାନବାହନ ଯାଞ୍ଚ ଆରମ୍ଭ କରିଥିଲା ଏହି ସମୟରେ ଏକ ସନ୍ଦିଗ୍ଧ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍‌କୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମିଳିଥିଲା ।

ଘଟଣାସ୍ଥଳରୁ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଏହା ସହ ନଗଦ ଲକ୍ଷାଧ‌ିକ ଟଙ୍କା ସହ କାର୍‌ ଟି କୁ ଜବତ କରିଛି । ଏହି ଗଞ୍ଜେଇ କେଉଁଠାରୁ ଆସି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଏବଂ ଏହି ରାକେଟ୍‌ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଗିରଫ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.