Latest Odisha News

BREAKING NEWS

ବନ୍ୟା ପ୍ରଭାବିତ ୩ ଜିଲ୍ଲା ଗସ୍ତ କରିବେ ୪ ଆଇଏଏସ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ତିନୋଟି ବାତ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ୍, ଥଇଥାନ ଏବଂ କ୍ଷୟକ୍ଷତି ଆକଳନ କାର୍ଯ୍ୟ ତଦାରଖ କରିବା ପାଇଁ ଓଡ଼ିଶା ସରକାର ମଙ୍ଗଳବାର ଦିନ ଚାରି ଜଣ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଜିଲ୍ଲା ପାଇଁ ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଗଜପତି ଏବଂ କନ୍ଧମାଳ ଜିଲ୍ଲା ପାଇଁ ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରିଲିଫ୍ କାର୍ଯ୍ୟର ଫଳପ୍ରଦ ତଦାରଖ ଏବଂ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ‘ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର’ ଭାବରେ କ୍ଷମତା ପ୍ରଦାନ କରାଯାଇଛି।

ରେଢ଼ାଖୋଲ ଓ ସମ୍ବଲପୁରର ଉପ-ଜିଲ୍ଲାପାଳ ପବନ କୁମାର ଗଜପତି ଜିଲ୍ଲାର ଦାୟିତ୍ୱରେ ରହିବେ। ସେହିପରି, ମୟୂରଭଞ୍ଜର ରାଇରଙ୍ଗପୁର ଏଡିଏମ୍ ଅଜିତ କୁମାର ଏବଂ ସୁନ୍ଦରଗଡ଼ର ଉପ-ଜିଲ୍ଲାପାଳ ତେଜସ୍ୱିନୀ ବେହେରା ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ତୁଲାଇବେ। ବାଲେଶ୍ୱରର ଉପ-ଜିଲ୍ଲାପାଳ ଶିବ ମାଲବ୍ୟ କନ୍ଧମାଳ ଜିଲ୍ଲାର ଦାୟିତ୍ୱରେ ରହିବେ।

ଏହି ଅଧିକାରୀମାନେ ରିଲିଫ୍ ସାମଗ୍ରୀ ବଣ୍ଟନ, ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ଏବଂ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ତଦାରଖ କରିବେ। ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ନିର୍ଦ୍ଦେଶ ଅନୁଯାୟୀ, ସେମାନେ କ୍ଷେତ୍ରସ୍ତରୀୟ ରିଲିଫ୍ କାର୍ଯ୍ୟର ସମନ୍ୱୟ ରକ୍ଷା କରିବା, ତୁରନ୍ତ ଆବଶ୍ୟକତାଗୁଡ଼ିକର ଆକଳନ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ଏବଂ ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ପରିଚାଳନା କରିବେ।

ଅନ୍ୟପକ୍ଷରେ, ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଦଳ ଗଜପତି ଜିଲ୍ଲାରେ ପହଞ୍ଚିଛି। ଏହି ଦଳ ଆଜି ଗଜପତି ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିବେ ଏବଂ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବା ପରେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡିଛି।

Leave A Reply

Your email address will not be published.