ମୁମ୍ବାଇ; ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ । ଗଡଚିରୋଲି ଏହେରି ଥାନା କୋଲାମାରକା ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି । ମୃତ ୪ ମାଓବାଦୀ ହେଉଛନ୍ତି ତେଲେଙ୍ଗାନା ଷ୍ଟେଟ କମିଟିର । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ, ୨ଟି ପିସ୍ତଲ ଏବଂ ଗୋଟିଏ କାରବାଇନ୍ ଜବତ କରିଛନ୍ତି ସୁରକ୍ଷାକର୍ମୀ । ନିର୍ବାଚନରେ ହିଂସା ଘଟାଇବା ଉଦ୍ଦେଶ୍ୟରେ ଏହି ନକ୍ସଲମାନେ ତେଲେଙ୍ଗାନାରୁ ମହାରାଷ୍ଟ୍ରକୁ ଆସିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଲୋକସଭା ନିର୍ବାଚନରେ ଏକ ବଡ଼ଧରଣର ହିଂସା ଘଟାଇବା ପାଇଁ ଏକ ବଡ ନକ୍ସଲ ଗ୍ରୁପ ଗଡଚିରୋଲି ଜଙ୍ଗଲରେ ଲୁଚି ରହିଛନ୍ତି ବୋଲି ବିଶେଷ ସୁତ୍ରରୁ ଖବର ପାଇଥିଲା ମହାରାଷ୍ଟ୍ର ପୋଲିସ । ଖବର ପାଇ ପୂର୍ବ ଯୋଜନା ମୁତାବକ ମହାରାଷ୍ଟ୍ର ପୋଲିସର ସ୍ୱତନ୍ତ୍ର ସି -୬୦ କମାଣ୍ଡୋ ଏବଂ ସିଆରପିଏଫ କମାଣ୍ଡୋ ଜଙ୍ଗଲ ଭିତରେ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ ।ଏହି ସମୟ ଭିତରେ ନକ୍ସଲମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ । ଏହାର ପ୍ରତି ଉତ୍ତରରେ ସୁରକ୍ଷାକର୍ମୀମାନେ ମଧ୍ୟ ନକ୍ସଲଙ୍କ ଉପରେ ଗୁଳିଚାଳନା କରିଥିଲେ ।
ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲିଥିଲା । ଏହାପରେ ନକ୍ସଲମାନେ ସେହି ସ୍ଥାନରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ପୋଲିସ ସର୍ଚ୍ଚ ଅପରେଶନ କରିବାବେଳେ ଘଟଣାସ୍ଥଳରୁ ୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲା । ଘଟଣାସ୍ଥଳରୁ ଗୋଟେ ଏକେ-୪୭ ରାଇଫଲ ସମେତ ଅନେକ ମାଓ ଅସ୍ତ୍ରଶସ୍ତ୍ର ଜବତ କରିଛି । ମୃତ ଏହି ଚାରିଜଣ ନକ୍ସଲଙ୍କ ଉପରେ ୩୬ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା ।
ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରର ସବୁଠାରୁ ନକ୍ସଲ ପ୍ରଭାବିତ ଅଞ୍ଚଳ ଗାଡଚିରୋଲି ଅଟେ। ଗତ ଶନିବାର ଦିନ ଛତିଶଗଡର ନକ୍ସଲ ପ୍ରଭାବିତ କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା।
Comments are closed.