Latest Odisha News

BREAKING NEWS

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରଶିକ୍ଷଣ ସମୀକ୍ଷା

ଭୁବନେଶ୍ୱର: ଏକ ସଫଳ ନିର୍ବାଚନ ପରିଚାଳନାର ମୂଳବିନ୍ଦୁ ହେଉଛି ଉପଯୁକ୍ତ ନିର୍ବାଚନ ପ୍ରଶିକ୍ଷଣ । ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ‘ଭାରତ’ର ସଫଳ ନିର୍ବାଚନ ପରିଚାଳନା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ । ଏହି ବିସ୍ମୟର ଆଧାର ବିନ୍ଦୁ ହେଉଛି ‘ବୁଥ୍‌ ପରିଚାଳନା’। ପ୍ରତିଟି ବୁଥ୍‌ରେ ମତଦାନ କରାଇଥାନ୍ତି ପି୍ରଜାଇଡିଂ ଅଫିସର, ପୋଲିଂ ଅଫିସର ଓ ସୁରକ୍ଷା କର୍ମୀ । ଏହି ପି୍ରଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ନିର୍ବାଚନ ପ୍ରଶିକ୍ଷଣ ହେଉଛି ନିର୍ବାଚନ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଅଂଶ । ଭୁବନେଶ୍ୱରର ଆଇ.ଟି.ଇ.ଆର୍‌ ଠାରେ ଚାଲିଥିବା ନିର୍ବାଚନ ପ୍ରଶିକ୍ଷଣର ସମୀକ୍ଷା ସମୟରେ ଏହିଭଳି ମତ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଧଳ ନିର୍ବାଚନର ଗୁରୁଦାୟିତ୍ୱକୁ ଜାତୀୟ କର୍ତ୍ତବ୍ୟ ରୂପେ ପାଳନ କରିବା ପାଇଁ ପ୍ରେରିତ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ତାଙ୍କ ଟିମ୍‌ ସହ ମିଶି ଆଇ.ଟି.ଇ.ଆର୍‌ ଠାରେ ଚାଲିଥିବା ନିର୍ବାଚନ ପ୍ରଶିକ୍ଷଣର ସମୀକ୍ଷା କରିଥିଲେ । ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ପି୍ରଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କ ପ୍ରଶିକ୍ଷଣ ସମୀକ୍ଷା ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସେମାନଙ୍କ ସହ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ‘ନିର୍ବାଚନର ପର୍ବ: ଆମ ଦେଶର ଗର୍ବ’ ଥିମ୍‌କୁ ନିର୍ବାଚନ ପରିଚାଳନାର ମୂଳମନ୍ତ୍ର ରୂପେ ଗ୍ରହଣ କରିବା ପାଇଁ ସେ ସଭିଙ୍କୁ ପ୍ରେରିତ କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ ‘ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ସେମାନଙ୍କ ସୁବିଧାକୁ ଅଗ୍ରାଧିକାର ଦେବା ସହ ପ୍ରାର୍ଥୀ ଓ ରାଜନୈତିକ ଦଳମାନଙ୍କୁ ସମାନତାର ସହ ବିଭିନ୍ନ ପ୍ରକ୍ରିୟାରେ ସାମିଲ କରିବାକୁ ଧଳ ମତ ରଖିଥିଲେ।

ଏହା ସହ ବିଭିନ୍ନ ବର୍ଗର ମତଦାତାମାନେ କେଉଁଭଳି ଭାବରେ ଭୋଟ ଦେବେ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଭୋଟର ଆଦିଙ୍କୁ କେଉଁସବୁ ସୁବିଧା ଯୋଗାଇ ଦିଆଯିବ, ମଡେଲ ବୁଥ୍‌: ସଖିବୁଥ୍‌ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍‌), ଯୁବ କ ର୍ମଚାରୀ ପରିଚାଳିତ ବୁଥ୍‌, ଭିନ୍ନକ୍ଷମ କ ର୍ମଚାରୀ ପରିଚାଳିତ ବ ଥୁ ୍‌ ଆଦିର ଲ କ୍ଷ୍ୟ ବିଷୟରେ ଆଲୋଚନା କରି ଧଳ ବୁଥ୍‌ ସ୍ତରରେ ସମସ୍ତ ଗାଇଡ୍‌ଲାଇନ୍‌କୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

‘ନିର୍ବାଚନ ଏହି ଦେଶର ଜାତୀୟ ପର୍ବ । ଏହାକୁ ସଂପୂର୍ଣ୍ଣ ଦାୟିତ୍ୱବୋଧତାର ସହ ସଫଳ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆପଣମାନେ ତୃଣମୂଳ ସ୍ତରରେ ନିର୍ବାଚନ କମିଶନଙ୍କ ପ୍ରତିନିଧି । ମୁକ୍ତ, ଅବାଧ, ନିରପେକ୍ଷ, ସମସ୍ତଙ୍କ ପାଇଁ ଅଂଶଗ୍ରହଣକାରୀ ଏକ ନିର୍ବାଚନ ପ୍ରକ୍ରିୟାର ଆପଣମାନେ ସମର୍ଥ ସାରଥି । ସେହି ଦାୟିତ୍ୱବୋଧ ସହ ଆପଣମାନଙ୍କୁ କାମ କରିବାକୁ ପଡ଼ିବ । ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ଆପଣମାନ ଙ୍କ କାର୍ଯ୍ୟ ଉପରେ ନିର୍ଭର କରୁଛି । ଏଭଳି ଗୁରୁଦାୟିତ୍ୱକୁ ନିର୍ବାହ କରିବା ହିଁ ଆମ ଗଣତନ୍ତ୍ର ପ୍ରତି ଆମର ଉତ୍ତରଦାୟିତ୍ୱ ।’ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଭଳି ଭାବରେ ପ୍ରେରିତ କରିଥିଲେ।

Comments are closed.