ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାତିରେ ଗିରଫ କରିଛି। ଅବକାରୀ ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ଏହି ଗିରଫଦାରୀ ହୋଇଛି । ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବାର ଏହା ହେଉଛି ପ୍ରଥମ ଘଟଣା।
ଆପ୍ ନେତା ଆତିଶୀ ଏବଂ ସୌରଭ ଭରଦ୍ୱାଜ କେଜ୍ରିୱାଲଙ୍କ ଗିରଫଦାରୀକୁ ସୁନିଶ୍ଚିତ କରିଛନ୍ତି। ସେମାନେ ଆଶ୍ୱାସନା ଦେଇଛନ୍ତି ଯେ କେଜ୍ରିୱାଲ ଜେଲରୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କର୍ତ୍ତବ୍ୟ ଜାରି ରଖିବେ । ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବୋଲି ଆତିଶୀ ପ୍ରକାଶ କରିଛନ୍ତି।
କେଜ୍ରିୱାଲଙ୍କୁ ଇଡିର କୌଣସି କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିବା ପରେ ଏହି ଗିରଫଦାରୀ ହୋଇଛି। ଏହା ପୂର୍ବରୁ କୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଥିଲେ ଏବଂ କହିଥିଲେ ଯେ ତାଙ୍କୁ ପଚରାଉଚରା କରିବା ପାଇଁ ପର୍ଯ୍ୟାପ୍ତ ତଥ୍ୟ ରହିଛି।
ଇଡି ଟିମ୍ କେଜ୍ରିୱାଲଙ୍କ ବାସଭବନକୁ ଯାଇ ତାଙ୍କୁ ସମନ ଜାରି କରିବା ସହ ତାଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ସମ୍ପର୍କରେ ଅବଗତ କରାଇଥିଲେ। ଏଜେନ୍ସି ପକ୍ଷରୁ ଏକାଧିକ ଥର ସମନର ଉତ୍ତର ଦେବାରେ କେଜ୍ରିୱାଲ ବିଫଳ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ତାଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
କେଜ୍ରିୱାଲ ପୂର୍ବରୁ ଇଡିର ସମନକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରିଥିଲେ, ଯାହା ଅନ୍ତରୀଣ ରିଲିଫ ପାଇଁ ତାଙ୍କ ଆବେଦନର ଆଧାର ଥିଲା । ଇଡିଠାରୁ ନବମ ସମନ ପାଇବା ପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଇଡିକୁ ଜବାବ ଦାଖଲ କରିବାକୁ କହିଛନ୍ତି ଏବଂ ତାଙ୍କ ଆବେଦନକୁ ଅଧିକ ବିଚାର ପାଇଁ ତାଲିକାଭୁକ୍ତ କରିଛନ୍ତି।
Comments are closed.