ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରି ନୂଆଦିଲ୍ଲୀରେ ବିଜେପିର ବିରୋଧ ପ୍ରଦର୍ଶନ । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ବିଜେପି କର୍ମୀମାନେ । ଏହାସହ ଜେଲ୍ ରୁ କାମ କରିବାକୁ ବିଜେପି ନିନ୍ଦା କରିବା ସହ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛି ।
ବିରୋଧ ପ୍ରଦର୍ଶନ ବେଳେ ବିଜେପି ନେତା ମନଜିନ୍ଦର ସିଂ ସିରସା କହିଛନ୍ତି ଯେ, ଗ୍ୟାଙ୍ଗଷ୍ଟର ଏବଂ ଚୋରାଚାଲାଣକାରୀମାନେ ଯେପରି ଜେଲରୁ ଗ୍ୟାଙ୍ଗ ଚଳାନ୍ତି, ସେମାନେ ମୁଖ୍ୟମନ୍ତ୍ରୀ ଅଫିସ ଚଳାଇବାକୁ ଚାହୁଁଛନ୍ତି । ଅରବିନ୍ଦ କେଜରିୱାଲଙ୍କ ପରି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ତାଙ୍କୁ ଇସ୍ତଫା ଦେବାକୁ ପଡିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ, କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛି ଆମ ଆଦମୀ ପାର୍ଟି । କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଆଜି ଆପ୍ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଘେରାଉ କରିବାକୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।
ଦିଲ୍ଲୀ ପୋଲିସ ପକ୍ଷରୁ ମେଟ୍ରୋ ଷ୍ଟେସନ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଆପର ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ମଦ ଦୁର୍ନିତି ମାମଲାରେ ଇଡି ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରିଛି । ଏହି ମାମଲାରେ ପଚରାଉଚରା ପାଇଁ ମାର୍ଚ୍ଚ ୨୮ ଯାଏଁ ହେପାଜତକୁ ନେଇଛି ।
Comments are closed.