Latest Odisha News

ତିହାର ଜେଲରେ କେଜ୍ରିୱାଲଙ୍କ ଡିମାଣ୍ଡ, ଜେଲ୍‌ରେ ମିଳିବ ଏହିସବୁ ସୁବିଧା !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେଜ୍ରିୱାଲଙ୍କୁ ତିହାର ଜେଲରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଆଜିର ଶୁଣାଣି ସମୟରେ ବରିଷ୍ଠ ଓକିଲ ବିକ୍ରମ ଚୌଧୁରୀ ଏବଂ ରମେଶ ଗୁପ୍ତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାଇଁ ହାଜର ହୋଇଥିଲେ।

ତେବେ କେଜ୍ରିୱାଲଙ୍କ ଓକିଲ କୋର୍ଟରେ ତାଙ୍କ ପାଇଁ ପାଞ୍ଚଗୋଟି ଅନୁରୋଧ କରିଛନ୍ତି। କେଜ୍ରିୱାଲଙ୍କୁ ତିହାର ଜେଲ୍‌ର ବାରାକ୍ ନଂ ୫ କିମ୍ବା ୨ରେ ରଖାଯିବ । ଆମ ଆଦମୀ ପାର୍ଟିର ଅନ୍ୟ ନେତାଙ୍କ ମଧ୍ୟରେ ସଞ୍ଜୟ ସିଂ ୫ ନମ୍ବର, ମନୀଷ ସିସୋଦିଆ ୧ ନମ୍ବର ଓ ସତ୍ୟେନ୍ଦ୍ର ଜୈନଙ୍କୁ ୭ ନମ୍ବର ଜେଲରେ ରଖାଯାଇଛି । ତେବେ କେଜ୍ରିୱାଲଙ୍କ ଓକିଲ କୋର୍ଟରେ ତାଙ୍କ ପାଇଁ ୩ଗୋଟି ପୁସ୍ତକ ପଢିବାକୁ ଅନୁମତି ଦେବାକୁ ଆବେଦନ କରିଛନ୍ତି । ଏହି ପୁସ୍ତକ ମଧ୍ୟରେ ଭାଗବତ ଗୀତା, ରାମାୟଣ ଓ ନୀରଜ ଚୌଧୁରୀଙ୍କ ଦ୍ୱାରା ଲିଖିତ ‘ହାଓ ପ୍ରାଇମ୍ ମିନିଷ୍ଟର ଡିସାଇଡ୍‌’ ସାମିଲ ରହିଛି । ସେହିପରି ଜେଲରେ କେଜ୍ରିୱାଲଙ୍କୁ ଔଷଧ ଯୋଗାଇ ଦିଆଯିବ। କେଜ୍ରିୱାଲ ପିନ୍ଧିଥିବା ଏକ ଧାର୍ମିକ ଲକେଟ୍ ରଖିବାକୁ ଅନୁମତି ଦିଆଯିବ। ତାଙ୍କ ସ୍ୱାସ୍ଥ୍ୟ ଅନୁଯାୟୀ ସ୍ୱତନ୍ତ୍ର ଖାଦ୍ୟ ଦିଆଯିବା ସହ କେଜ୍ରିୱାଲ ଜେଲରେ ଏକ ଟେବୁଲ ଏବଂ ଚେୟାର ମଧ୍ୟ ଦାବି କରିଛନ୍ତି।

ସୂଚନା ଥାଉକି, ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କେଜ୍ରିୱାଲକୁ ଗିରଫ କରି ୬ ଦିନ ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା। ଗତ ୨୧ ତାରିଖରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ । ୯ ଥର ସମନ ଟାଳିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି ।

Comments are closed.