Latest Odisha News

ଓଡ଼ିଶାର ସାମଗ୍ରିକ ବିକାଶ କରିବାରେ ବିଫଳ ହୋଇଛି ବିଜେଡ଼ି : ବିଜେପି

ଭୁବନେଶ୍ୱର: ବିଜେପିରେ ଯୋଗ ଦେଲେ ଜଗତସିଂହପୁର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ କାଜୁ ନିଗମର ପୂର୍ବତନ ଚେୟାରମ୍ୟାନ ଅମରେନ୍ଦ୍ର ଦାସ ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଟିକେଟ ନଦେବାରୁ ଅସନ୍ତୁଷ୍ଟ ଥିଲେ ଅମରେନ୍ଦ୍ର । ବିଜେଡି ଜଗତସିଂହପୁର ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ଅମରେନ୍ଦ୍ର ଦାସ ମଧ୍ୟ ଜଗତସିଂହପୁର ଆସନ ପାଇଁ ଆଶାୟୀ ଥିଲେ । ଟିକେଟ୍ ନମିଳିବା ପରେ ନିରାଶ ହୋଇ ଅମରେନ୍ଦ୍ର ଦାସ ଦଳ ଛାଡିଥିବା କୁହାଯାଉଛି ।

ଅନ୍ୟପଟେ ବିଜେଡ଼ିକୁ ଟାର୍ଗେଟ କରିଛି ବିଜେପି। ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ ୨୪ ବର୍ଷ ଧରି ଶାସନରେ ରହି ସୁଦ୍ଧା ଓଡିଶାର ସାମଗ୍ରିକ ବିକାଶ କରିବାରେ ବିଫଳ ହୋଇଛି ବିଜେଡି । ଦୁର୍ନିତୀ, ଭ୍ରଷ୍ଟାଚାର ଓ ବ୍ୟଭୀଚାରରେ ଲିପ୍ତ ବିଜେଡି ନେତା, ମନ୍ତ୍ରୀଙ୍କ ଅସ୍ୱାଭାବିକ ବିକାଶ ହୋଇଛି । ଓଡ଼ିଶାରେ ସବୁଥାଇ ବି ଆଜି ଓଡ଼ିଆ ଲୋକ ଗରିବ । ଗତ ଦଶ ବର୍ଷରେ ମୋଦି ସରକାର ୧୮.୮୬ ଲକ୍ଷ କୋଟି ଟଙ୍କାର ଅନୁଦାନ ଓ ସହାୟତା ଯୋଗଇବା ସତ୍ୱେ ବିଜେଡି ସରକାର କାରଣରୁ ରାଜ୍ୟରେ ବିକାଶ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରିବାର ଅପଚେଷ୍ଟା କରାଯାଉଛି । ଓଡିଆ ଅସ୍ମିତା ଏବଂ ସ୍ୱାଭୀମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡିଶାବାସୀ ଅସ୍ତବ୍ୟସ୍ତ । ବିଜେପି ଶାସନକୁ ଆସିଲେ ଏ ସମସ୍ତ ସମସ୍ୟାରେ ପୂର୍ଣ୍ଣଛେଦ ପଡିବ । ୨୦୨୪ ନିର୍ବାଚନରେ ବିଜେଡି ଯାଉଛି, ବିଜେପି ଆସୁଛି । ବିଜେଡି ଓ କଂଗ୍ରେସର ଅନେକ ନେତୃବୃନ୍ଦ ବିଜେପିରେ ଯୋଗ ଦେଉଛନ୍ତି । ଓଡ଼ିଆ ଲୋକଙ୍କ ଆତ୍ମବିଶ୍ୱାସ ଫେରିବା ସହ ରାଜନୈତିକ ବ୍ୟବସ୍ଥାର ପରିବର୍ତନ ହେବ ଏବଂ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ହେବ । ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ବିଜେପିରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇବା ଅବସରରେ ମନମୋହନ ସାମଲ କହିଛନ୍ତି ।

ସେହିପରି ନାଉଗାଁ ବ୍ଲକର ପୂର୍ବତନ ପଂଚାୟତ ସମିତି ସଦସ୍ୟ ପର୍ଶୁରାମ ଜେନା, ସାଲଜଙ୍ଗ ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଦସ୍ୟ ଉତ୍ତମ ଚରଣ ପୃଷ୍ଟି ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ.ବିଭୁ ତରାଇ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ଓମ୍ ପ୍ରକାଶ ରାୟ ପ୍ରମୁଖ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି ।

Comments are closed.