ନୂଆଦିଲ୍ଲୀ: ଆଜି ବିଜେପି ପ୍ରତିଷ୍ଠା ଦିବସ । ୪୪ ବର୍ଷରେ ପାଦ ରଖିଲା ବିଜେପି । ଦେଶ ସାରା ସମସ୍ତ ବିଜେପି କର୍ମୀ ଆଜି ଅତି ଉତ୍ସାହର ସହ ବିଜେପି ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟୀ(ବିଜେପି) ଦଳ ପ୍ରତିଷ୍ଠା କରାଯାଇଥିଲା । ଆଜି ସାରା ବିଶ୍ଵରେ ସବୁଠାରୁ ବଡ ରାଜନୈତିକ ଦଳ ଭାବରେ ଉଭା ହୋଇଛି ବିଜେପି ।
ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ବିଜେପି ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଦଳ । ସବୁକ୍ଷେତ୍ରରେ ଏହା ଜନତାଙ୍କ ସ୍ଵାର୍ଥରେ ନିୟୋଜିତ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ସାରା ଦେଶର ମୋର କର୍ମୀ ଓ କାର୍ଯ୍ୟକର୍ତ୍ତ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆଜି ବିଜେପିର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ, ଯେଉଁମାନେ ନିଜର ପରିଶ୍ରମ, ସଂଘର୍ଷ ଏବଂ ବଳିଦାନ ସହିତ ଦଳକୁ ଏହି ଉଚ୍ଚତାକୁ ନେଇଛନ୍ତି । ଆଜି ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିପାରିବି ଯେ ବିଜେପି ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଦଳ, ଯାହା ‘ରାଷ୍ଟ୍ର ପ୍ରଥମ’ ମନ୍ତ୍ରରେ ଲୋକଙ୍କ ସେବା କରିବାରେ ନିୟୋଜିତ।
ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନରେ ବିଜୟ ଦାବି କରିବା ସହ ମୋଦୀ କହିଛନ୍ତି, ଦେଶର ଲୋକ ଏକ ନୂତନ ଲୋକସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମୁଁ ନିଶ୍ଚିତ ଯେ ସାରା ଦେଶରେ ମୋର ପରିବାର ସଦସ୍ୟ ଆମକୁ ଆଉ ଏକ କାର୍ଯ୍ୟକାଳ ପାଇଁ ଆଶୀର୍ବାଦ ଦେବେ । ଯାହା ଦ୍ଵାରା ଗତ ଏକ ଦଶନ୍ଧି ମଧ୍ୟରେ ବିକଶିତ ଭାରତ ପାଇଁ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ତା’କୁ ନୂତନ ଶକ୍ତି ପ୍ରଦାନ କରାଯାଇପାରିବ । ମୁଁ ପୁଣି ଥରେ ବିଜେପି ଏବଂ ଏନଡିଏର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ସରକାର ଏବଂ ଜନତାଙ୍କ ମଧ୍ୟରେ ବିକାଶର ଏକ ଦୃଢ ସଂଯୋଗ ଅଟନ୍ତି।
Comments are closed.