Latest Odisha News

BREAKING NEWS

ପ୍ରବଳ ଖରା: ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ଭୂବନେଶ୍ୱର: ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଶନିବାର ୪ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁଯାୟୀ ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

ମାଲକାନଗିରି ଓ ଟିଟିଲାଗଡ଼ରେ ତାପମାତ୍ରା ଯଥାକ୍ରମେ ୪୩.୨ ଓ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ଦୁଇ ସହର ଭୁବନେଶ୍ୱର ଓ କଟକରେ ମଧ୍ୟ ସର୍ବାଧିକ ତାପମାତ୍ରା ଯଥାକ୍ରମେ ୩୯.୬ ଓ ୪୦.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶୁକ୍ରବାର ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ବେଳେ ଏହା ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ପାଲଟିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ଏହା ପରେ ରାଜ୍ୟର ଅନେକ ସ୍ଥାନରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

ଅନୁଗୁଳ, ନୟାଗଡ଼, ବଲାଙ୍ଗୀର, ମାଲକାନଗିରି, ଭଦ୍ରକ, ଗଜପତି ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ରବିବାର ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ବଲାଙ୍ଗୀର, କନ୍ଧମାଳ, ନୟାଗଡ଼, କଟକ, ଜଗତସିଂହପୁର ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ରାତି ଗରମ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments are closed.