Latest Odisha News

ବିଆରଏସ ନେତା କେ.କବିତାଙ୍କୁ ବଡ ଝଟକା, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ ବଡ ଝଟକା । ବିଆରଏସ ନେତା କେ.କବିତାଙ୍କ ଜାମିନ ଆବେଦନକୁ ଖାରଜ କଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଗତ ମାସରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଭରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ.କବିତା । ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ସେ ବର୍ତ୍ତମାନ ଏପ୍ରିଲ ୧୫ପର୍ଯ୍ୟନ୍ତ ଜେଲରେ ରହିବାକୁ ଯାଉଛନ୍ତି।

ଅନ୍ତରୀଣ ଜାମିନ ପ୍ରଦାନ ପାଇଁ କବିତା ଗତ ଗୁରୁବାରଦିନ ରାଉଜ୍ ଆଭେନ୍ୟୁ କୋର୍ଟରେ ଆବେଦନ କରିଥିଲେ । ତାଙ୍କ ଆବେଦନ ପତ୍ରରେ କବିତା ଦାବି କରିଛନ୍ତି ଯେ, ତାଙ୍କ ୧୬ ବର୍ଷୀୟ ପୁଅର ପରୀକ୍ଷା ଅଛି ଏବଂ ତାକୁ ତାଙ୍କ ମା’ଙ୍କ ଆବଶ୍ୟକତା ରହିଛି । ପୁଅର ପରୀକ୍ଷାକୁ ଦର୍ଶାଇ କବିତା ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ କୋର୍ଟରେ ଆବେଦନ କରିଥିଲେ। ବିଆରଏସ ନେତ୍ରୀଙ୍କ ଆବେଦନରେ ଶୁଣାଣି ବେଳେ ତାଙ୍କ ଓକିଲ କହିଥିଲେ ଯେ, କେ. କବିତାଙ୍କ ପୁଅର ପରୀକ୍ଷା ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଛି। ଜଣେ ଭାଇ ଏବଂ ବାପା ଗୋଟେ ପୁଅ ପାଇଁ କେବେବି ତା’ର ମା’ଙ୍କ ଅନୁପସ୍ଥିତିକୁ ପୂରଣ କରିପାରିବେ ନାହିଁ । ତେଣୁ ଏହି କଥାକୁ ହୃଦୟଙ୍ଗମ କରି କବିତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଉ ।

ଅନ୍ୟପଟେ ଇଡି ପକ୍ଷର ଓକିଲ ଜୋହେବ ହୁସେନ କହିଛନ୍ତି ଯେ, ଏହି ମାମଲାରେ କବିତା ମୁଖ୍ୟ ଅଭିଯୁକ୍ତ । ତାଙ୍କ ମୋବାଇଲ ଫୋନରୁ ତାଙ୍କ ବିରୋଧରେ ମିଳିଥିବା ପ୍ରମାଣକୁ ସେ ନଷ୍ଟ କରିଦେଇଛନ୍ତି । ତେଣୁ ଯେଉଁ ପର୍ଯ୍ୟନ୍ତ ଇଡି ସମ୍ପୂର୍ଣ୍ଣ ତଦନ୍ତ ଶେଷ ନକରିଛି ସେ ପର୍ଯ୍ୟନ୍ତ ତାଙ୍କୁ ଜାମିନ ଦିଆନଯାଉ । କାରଣ କବିତାଙ୍କୁ ଏବେ ଜାମିନ ପ୍ରଦାନ କରାଗଲେ ତାହା ତଦନ୍ତରେ ବାଧା ସୃଷ୍ଟି କରିବ। କବିତାଙ୍କ ପୁଅର ୧୨ ଟି ପରୀକ୍ଷା ମଧ୍ୟରୁ ୭ଟି ପରୀକ୍ଷା ସରିସାରିଛି । ତେବେ ସେ ଏବେ ଏକୁଟିଆ ନୁହେଁ ତାଙ୍କ ସହ ତାଙ୍କ ପିତା ଏବଂ ବଡ ଭାଇ ମଧ୍ୟ ଅଛନ୍ତି।

 

 

Comments are closed.