Latest Odisha News

BREAKING NEWS

ହାଇକୋର୍ଟରୁ ଝଟକା ପରେ ସୁପ୍ରିମକୋର୍ଟର ଦ୍ଵାରସ୍ତ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ଵାରସ୍ତ ହେଲେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ. ଚନ୍ଦ୍ରଚୁଡଙ୍କୁ ଏହି ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ ଅନୁରୋଧ କରିବେ କେଜ୍ରିୱାଲଙ୍କ ଓକିଲ ।

ଗତକାଲି ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଯଥାର୍ଥ ବୋଲି କହିଥିଲେ । କେଜ୍ରିୱାଲଙ୍କ ଗିରଫଦାରୀରେ କୌଣସି ଆଇନଗତ ବ୍ୟବସ୍ଥା ଉଲ୍ଲଂଘନ କରାଯାଇ ନାହିଁ ବୋଲି କହିଥିଲେ କୋର୍ଟ । ଏପରିକି କେଜ୍ରିୱାଲଙ୍କୁ ଇଡି ରିମାଣ୍ଡରେ ନେଇଥିବା ମଧ୍ୟ ବେଆଇନ ନୁହେଁ ବୋଲି କହିଥିଲେ କୋର୍ଟ ।

କେଜ୍ରିୱାଲ ତାଙ୍କ ଗିରଫଦାରୀ ସହ ତାଙ୍କୁ ଇଡି ରିମାଣ୍ଡରେ ନେବା ମାମଲାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଆଶ୍ଵସ୍ତି ମିଳିନାଥିଲା । ବର୍ତ୍ତମାନ କେଜ୍ରିୱାଲ ନ୍ୟାୟିକ ହେପାଜତରେ ଅଛନ୍ତି । ହାଇକୋର୍ଟରୁ ଲାଗିଥିବା ଝଟକା ପରେ ଆପ ସୁପ୍ରିମକୋର୍ଟର ଦ୍ଵାରସ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଗିରଫ ହେବା ପରେ କେଜ୍ରିୱାଲଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି ଇଡି। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଜେଲରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି କେଜ୍ରିୱାଲ।

Comments are closed.