ନୂଆଦିଲ୍ଲୀ:ବୁଧବାର ଦିନ ଚିକାଗୋ ଯାଉଥିବା ଏକ ଆମେରିକୀୟ ଏୟାରଲାଇନ୍ସର ବିମାନକୁ ଡାଇଭର୍ଟ କରି ଫିନିକ୍ସରେ ଅବତରଣ କରିବାକୁ ପଡିଥିଲା।ମଝି ଆକାଶରେ ଜଣେ ଯାତ୍ରୀ ବିମାନର ଡୋର୍ ଖୋଲିବାକୁ ଉଦ୍ୟମ କରିବା ସହ ବିମାନ କର୍ମଚାରୀ ଓ ଅନ୍ୟ ଯାତ୍ରୀଙ୍କ ସହ ସଂଘର୍ଷ କରିଥିଲେ।ଫଳରେ ସାନ୍ ଡିଏଗୋରୁ ଚିକାଗୋ ଯାଉଥିବା ଆମେରିକାନ୍ ଏୟାରଲାଇନ୍ସର ଏକ ବିମାନକୁ ଫିନିକ୍ସରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।ସାନ୍ ଡିଏଗୋରୁ ଚିକାଗୋ ଯାଉଥିବା ଫ୍ଲାଇଟ୍ ୧୪୯୪, ଫିନିକ୍ସ ସ୍କାଏ ହାର୍ବର ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।
ଆମେରିକାନ୍ ଏୟାରଲାଇନ୍ସ ଫକ୍ସ ନ୍ୟୁଜକୁ ଜଣାଇଛି ଯେ, ସାନ୍ ଡିଏଗୋରୁ ଆସୁଥିବା ଫ୍ଲାଇଟ୍ ୧୪୯୪କୁ ଜଣେ ଯାତ୍ରୀଙ୍କ କାରଣରୁ ଫିନିକ୍ସ ସ୍କାଏ ହାର୍ବର ଆନ୍ତର୍ଜାତୀୟ ବିମାନବନ୍ଦରକୁ ମୁହାଁଇ ଦିଆଯାଇଥିଲା। ଉକ୍ତ ଯାତ୍ରୀଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।
ଫିନିକ୍ସ ପୋଲିସଙ୍କ ଅନୁଯାୟୀ, ଉକ୍ତ ଯାତ୍ରୀ ନିଜ ନିର୍ଦ୍ଧାରିତ ଆସନ ଛାଡ଼ି ବିମାନର ଆଗ ଭାଗକୁ ଚାଲିଯାଇଥିଲେ। ସେଠାରେ ସେ ନିଜ ଆସନକୁ ଫେରିବା ପାଇଁ କର୍ମଚାରୀମାନଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅମାନ୍ୟ କରିଥିଲେ ଏବଂ ବିମାନର ଏକ ପ୍ରସ୍ଥାନ ଦ୍ୱାର (exit door) ଖୋଲିବାକୁ ଉଦ୍ୟମ କରିଥିଲେ।
ଫିନିକ୍ସ ପୋଲିସ ଅନୁଯାୟୀ, ସ୍ଥାନୀୟ ସମୟ ପ୍ରାୟ ରାତି ୧:୦୦ଟା ସମୟରେ ବିମାନଟି ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା। ବିମାନ ଅବତରଣ କରିବା ପର୍ଯ୍ୟନ୍ତ, ବିମାନ କର୍ମଚାରୀ ଏବଂ ଅନ୍ୟ ଯାତ୍ରୀମାନେ ମିଳିତ ଭାବେ ସେହି ବ୍ୟକ୍ତିଙ୍କୁ ନିୟନ୍ତ୍ରଣରେ ରଖିଥିଲେ।
ବିମାନରେ ଥିବା ଜଣେ ଯାତ୍ରୀ ଏହି ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ସିନ୍ ବେନେଟ୍ ନାମକ ଏହି ଯାତ୍ରୀ ଲେଖିଥିଲେ ଯେ, ଜଣେ ବ୍ୟକ୍ତି ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ କିଛି ସାହସୀ ଯାତ୍ରୀ ତାଙ୍କୁ କାବୁ କରିବାରୁ ସମସ୍ତେ ସୁରକ୍ଷିତ ରହିଥିଲେ।
ଅବତରଣ ପରେ ପୁଲିସ ଓ ସୁରକ୍ଷାକର୍ମୀମାନେ ବିମାନରେ ପହଞ୍ଚି ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଥିଲେ। ଏହାପରେ ବିମାନଟି ପୁଣି ଚିକାଗୋର ଓ’ହେୟାର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଏ) ଏବଂ ଆମେରିକାନ୍ ଏୟାରଲାଇନ୍ସ ଏହି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ, ଠିକ୍ ଗତ ସପ୍ତାହରେ, ଫିନିକ୍ସ ସ୍କାଏ ହାର୍ବର ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ, ୧୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଆମେରିକାନ୍ ଏୟାରଲାଇନ୍ସର ଏକ ଏୟାରବସ୍ A319 ବିମାନ mayday କଲ୍ ଜାରି କରିଥିଲା।
ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ପାଇଲଟ୍ମାନଙ୍କୁ ସତର୍କ କରାଇ ଦେଲା ଯେ, ସେମାନଙ୍କ ଠିକ୍ ପଛରେ ଉଡ଼ାଣ ଭରିଥିବା ଏକ ‘ସ୍କାଏୱେଷ୍ଟ’ (SkyWest) ବିମାନର କର୍ମଚାରୀମାନେ, ଏହି ବିମାନର ଗୋଟିଏ ଇଞ୍ଜିନ୍ରୁ ନିଆଁ ବାହାରୁଥିବାର ଦେଖିଛନ୍ତି ଏବଂ କୌଣସି ତରଳ ପଦାର୍ଥ ଲିକ୍ ହେଉଥିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।
ତେବେ, ଆମେରିକାନ୍ ଏୟାରଲାଇନ୍ସ ନିଶ୍ଚିତ କରିଥିଲା ଯେ ବିମାନଟିରେ ଏକ ବୈଷୟିକ ତ୍ରୁଟି ଦେଖାଦେଇଥିଲା, କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସେଠାରେ ନିଆଁ ଲାଗିଥିବାର କୌଣସି ପ୍ରମାଣ ମିଳିନାହିଁ।
