Latest Odisha News

ସୁରଜ କୁମାର ବେହେରା ଓ ଶ୍ରୀଷ୍ଠୀ ଭୌମିକ ଙ୍କୁ ରାଧାନାଥ ରଥ ଓ ସତ୍ୟ ମହାପାତ୍ର ଫେଲୋସିପ୍‍

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ର ସୁରଜ କୁମାର ବେହେରାଙ୍କୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଶ୍ରୀଷ୍ଠୀ ଭୌମିକଙ୍କୁ ସତ୍ୟ ମହାପାତ୍ର ସ୍ମାରକୀ ଫେଲୋସିପ୍‍ ପ୍ରଦାନ କରାଯାଇଛି । ଫେଲୋସିପ୍‍ ବାବଦକୁ ଉଭୟଙ୍କୁ ମାନପତ୍ର ପ୍ରଦାନ କରାଯାଇଛି।

ଆଇଆଇଏମ୍‍ସିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍‍ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସାମ୍ବାଦିକତା କ୍ଷେତ୍ରରେ ରାଧାନାଥ ରଥ ଓ ସତ୍ୟ ମହାପାତ୍ରଙ୍କ ଅବଦାନ କଥା ଉଲ୍ଲେଖ କରିଛନ୍ତି ।ଉଭୟ ଶିକ୍ଷାର୍ଥୀଙ୍କୁ ଫେଲୋସିପ୍‍ ପ୍ରଦାନ କରିଛନ୍ତି। ଏହା ସହ ଆଜି ଅନୁଷ୍ଠାନର ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡ. ହରିକୃଷ୍ଣ ବେହେରାଙ୍କ ଏକ କବିତା ପୁସ୍ତକ ନେହା ପାଇଁ ପ୍ରେମ କବିତା ଉନ୍ମୋଚନ କରାଯାଇଛି। ଏହି କବିତା ପୁସ୍ତକଟି ହରିକୃଷ୍ଣ ବେହେରାଙ୍କ ଯୁବ ବୟସର ସ୍ଵପ୍ନ ସାକାର ହୋଇଥିବା କହିଛନ୍ତି। ଏହାକୁ ବ୍ଲାକ ଇଗଲ ପୁବ୍ଲିକେସନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି |

ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ଆସୋସିଏଟ୍‍ ଆଡ୍‍ମିନ୍‍ ଆଣ୍ଡ୍‍ ଆକାଉଣ୍ଟ୍‍ସ୍‍ କେଦାରନାଥ ଜେନା, ଡ. ହରି କୃଷ୍ଣ ବେହେରା, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା, ଓ ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ ଉପସ୍ଥିତ ରହିଥିଲେ ।

ଆଇଆଇଏମ୍‍ସିରେ ୨୦୦୨-୦୩ ଶିକ୍ଷାବର୍ଷରୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍‍ ପ୍ରଦାନ କରାଯାଇଆସୁଛି । ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ପ୍ରବାଦପ୍ରତିମ ରାଧାନାଥ ରଥଙ୍କ ପରଲୋକ ପରେ ତାଙ୍କ ପୁଅ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏହି ଫେଲୋସିପ୍‍ ପ୍ରଦାନ କରୁଛନ୍ତି । ସେହିପରି ‘ଦିନଲିପି’ର ସମ୍ପାଦକ ଥିବା ସତ୍ୟ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ୨୦୧୬-୧୭ ଶିକ୍ଷାବର୍ଷରୁ ସ୍ମାରକୀ ଫେଲୋସିପ୍‍ ଦେଇଆସୁଛନ୍ତି । ସତ୍ୟ ମହାପାତ୍ରଙ୍କ ତିନି ଝିଅ ଆଇଆଇଏମ୍‍ସି, ଢେଙ୍କାନାଳରେ ପାଠ ପଢ଼ିଛନ୍ତି ।

ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍କର୍ଷତା ପାଇଁ ଦିଆଯାଉଥିବା ରାଧାନାଥ ରଥ ଫେଲୋସିପ୍‍ ପାଇଥିବା ଶିକ୍ଷାର୍ଥୀମାନେ ଦେଶ ବିଦେଶରେ ନିଜ ପ୍ରତିଭା ପ୍ରତିପାଦନ କରି ବେଶ୍‍ ପ୍ରଶଂସା ସାଉଁଟିଛନ୍ତି । ଗଣ ଯୋଗାଯୋଗ, ସାମ୍ବାଦିକତା, ଭାରତୀୟ ପ୍ରଶାସନିକ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଏହି ଶିକ୍ଷାର୍ଥୀମାନେ ଆସୀନ ହୋଇ ସଂସ୍ଥାନ ପାଇଁ ଗୌରବ ଆଣିଦେଇଛନ୍ତି ।

ସେହିଭଳି ସତ୍ୟ ମହାପାତ୍ର ଫେଲୋସିପ୍‍ ପାଇଥିବା ଶିକ୍ଷାର୍ଥୀମାନେ ଦେଶର ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିବା ସହ ଗଣ ଯୋଗାଯୋଗର ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି ।ଏହା ସହ ଆଜି ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୟାରା ପ୍ରସ୍ତୁତ କାନ୍ଥ ପତ୍ରିକା ର ମଧ୍ୟ ଉନ୍ମୋଚନ କରାଯାଇଛି।ଯେଉଁଥିରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ନିଜ ନିଜ ସାହିତ୍ୟ ସୃଜନର ପ୍ରତିଭାକୁ ପ୍ରଦର୍ଶନ କରିଛନ୍ତି।

Comments are closed.