ଭୁବନେଶ୍ୱର: ବାଲେଶ୍ୱର ଦେଖିବ ବଡ ଲଢେଇ । ବିଜେପିରୁ ପ୍ରତାପ ଷଡଙ୍ଗୀ ରିପିଟ୍ । ବିଜେଡିରୁ ଲେଖାଶ୍ରୀ ସରପ୍ରାଇଜ୍ । କଂଗ୍ରେସର ଶ୍ରୀକାନ୍ତ ଜେନା ଟୁଇଷ୍ଟ । କୁରୁକ୍ଷେତ୍ର ପ୍ରସ୍ତୁତ, ମଇଦାନରେ ଯୋଦ୍ଧା ତୟାର । କିଏ ଜିତିବ ବାଲେଶ୍ୱର ବାଜି ? ରୁଦ୍ଧଦ୍ୱାର ବୈଠକ ସାଙ୍ଗକୁ ବିରୋଧୀଙ୍କୁ ମାତ୍ ଦେବାକୁ ଚଉକଶ ରଣନୀତି । କାହାକୁ ଭରସା କରିବେ ବାଲେଶ୍ୱର ଭୋଟର ?
ଚବିଶ ନିର୍ବାଚନରେ ରୋଚକ ହେବ ବାଲେଶ୍ୱର ଲୋକସଭା ଲଢେଇ । ଉତ୍ତର ଓଡିଶାର ହାଇପ୍ରୋଫାଇଲ୍ ସିଟ୍ କବଜା କରିବା ପାଇଁ ରଣନୀତି କରିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପୁଣି ବାଲେଶ୍ୱର ପାଇଁ ଭରସା କରିଛି ତ ମହିଳା କାର୍ଡ ଖେଳି ବଡ ଗୋଟି ଚଳାଇଛି ବିଜେଡି । ସ୍ଥାନୀୟ ଅଞ୍ଚଳରେ ଭଲ ପ୍ରଭାବ ଥିବା ପ୍ରତାପଙ୍କ ଆଗରେ ପୂର୍ବତନ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଠିଆ କରି ବଡ ଚ୍ୟାଲେଞ୍ଜ ଦେଇଛି ବିଜେଡି । ଦିନେ ପ୍ରତାପଙ୍କ ଦଳରେ ଥିବା ଲେଖାଶ୍ରୀ ଏବେ ନନାଙ୍କ ବିଜୟ ବାଟରେ ସବୁଠୁ ବଡ ବାଧା । ଲେଖାଶ୍ରୀ ଦଶ ବର୍ଷ ଧରି ରାଜନୀତିରେ ଅଛନ୍ତି ଓ ଏବେ ବାଲେଶ୍ୱର ମଇଦାନରେ ନିର୍ବାଚନର ଡେବ୍ୟୁ କରିବେ । ବାଲେଶ୍ୱରରେ ବିଜେଡି ସଂଗଠନ ଓ ନବୀନ ସରକାରଙ୍କ ବିକାଶମୂଳକ ଯୋଜନା ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଲେଖାଶ୍ରୀ । ବିଜେପି ଭୋଟବ୍ୟାଙ୍କ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିବେ ।
୨୦୧୯ରେ ବିଜେଡିର ରବୀନ୍ଦ୍ର ଜେନାଙ୍କୁ ମାତ୍ ଦେଇ ବାଲେଶ୍ୱର ଜିତିଥିଲେ ପ୍ରତାପ ଷଡଙ୍ଗୀ । ୪୧.୭୯ପ୍ରତିଶତ ଭୋଟ୍ ସହ ୪ଲକ୍ଷ ୮୩ହଜାର ୮୫୮ଭୋଟ୍ ପାଇଥିଲେ ପ୍ରତାପ ଷଡଙ୍ଗୀ । ରବୀନ୍ଦ୍ର ଜେନା ୪୦.୬୭ପ୍ରତିଶତ ଭୋଟ୍ ସହ ୪ଲକ୍ଷ ୭୦ହଜାର ୯୦୨ ଭୋଟ୍ ପାଇଥିଲେ । ଅଳ୍ପ ମାର୍ଜିନରେ ୧୯ ଯୁଦ୍ଧ ଜିତିଥିଲେ ନନା । ଏଥର ପୁଣି ତାଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି । ହେଲେ ନନାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବେ ଲେଖାଶ୍ରୀ । ସେପଟେ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇ ବାଲେଶ୍ୱର ସମରକୁ ଆହୁରି ଜଟିଳ କରିଛି କଂଗ୍ରେସ । କିଛି ଦିନ ପୂର୍ବରୁ କଂଗ୍ରେସକୁ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡା ହୋଇଥିଲ।। ବାଲେଶ୍ୱରରୁ ୨୦୦୯ରେ ସାଂସଦ ଥିବା ଶ୍ରୀକାନ୍ତ ଜେନା ୟୁପିଏ ସରକାରରେ ମନ୍ତ୍ରୀ ବି ହୋଇଥିଲେ । ତେଣୁ ଉଭୟ ପ୍ରତାପ ଓ ଲେଖାଶ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି ଶ୍ରୀକାନ୍ତ ଜେନା । ସେ ଖେଳିପାରନ୍ତି ଓବିସି କାର୍ଡ । ବିଜେଡି, ବିଜେପି ଭିତିରି ବୁଝାମଣା ଅଭିଯୋଗ ଆଣି ତାଙ୍କ ସପକ୍ଷରେ ହାୱା ତିଆରି କରିବାକୁ ଚେଷ୍ଟା କରିବେ ।
ରାଜ୍ୟର ତିନି ପ୍ରମୁଖ ଦଳକୁ ଗତ ତିନିଟି ନିର୍ବାଚନରେ ସୁଯୋଗ ଦେଇଛି ବାଲେଶ୍ୱର । ୨୦୦୯ରେ କଂଗ୍ରେସରୁ ଶ୍ରୀକାନ୍ତ ଜେନା, ୨୦୧୪ରେ ବିଜେଡିରୁ ରବୀନ୍ଦ୍ର ଜେନା ଓ ୨୦୧୯ରେ ବିଜେପିରୁ ପ୍ରତାପ ଷଡଙ୍ଗୀ ବାଲେଶ୍ୱର ବାଜି ଜିତିଛନ୍ତି । ଏଥର ପ୍ରତାପ ଓ ଶ୍ରୀକାନ୍ତ ପ୍ରାର୍ଥୀ ହୋଇଥିବା ବେଳେ ଲେଖାଶ୍ରୀଙ୍କୁ ଟିକେଟ ଦେଇ ମହିଳା ଓ ଓବିସି କାର୍ଡ ଖେଳିଛି ବିଜେଡି । ବାଲେଶ୍ୱର ଲୋକସଭା କ୍ଷେତ୍ର ଅଧିନରେ ରହିଛି ମୟୂରଭଞ୍ଜର ବଡସାହି ଓ ବାଲେଶ୍ୱରର ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା ଓ ନୀଳଗିରି ବିଧାନସଭା ଆସନ । ଗତଥର ବିଜେଡି ୪ଟି ଜିତିଥିବା ବେଳେ, ବିଜେପି ୩ଟି ଜିତିଥିଲ।। ହେଲେ ଗତ ୫ବର୍ଷ ଭିତରେ ବଦଳିଛି ବାଲେଶ୍ୱର ରାଜନୀତି । ଦଳବଦଳ ସହ ସମୀକରଣ ବି ଏପାଖ ସେପାଖ ହୋଇଛି । ତେଣୁ ପ୍ରଶ୍ନ ଉଠୁଛି, କାହା ଆଡକୁ ଢଳିବେ ଭୋଟର ? ଲେଖାଶ୍ରୀ ବିଜେଡିକୁ ଦେବେ କି ବାଲେଶ୍ୱର ଭେଟି ? ହେବେ କି ବାଲେଶ୍ୱରର ପ୍ରଥମ ମହିଳା ସାଂସଦ ? ବିଜେପି ଭୋଟ୍ ବିଭାଜନ କରିବାରେ ହେବେ କି ସଫଳ ? ପ୍ରତାପ ଖେଳିବେ କି ବିଜୟର ଡବଲ ଇନିଂସ ? ନା ବିଜୟୀ ହେବେ ଶ୍ରୀକାନ୍ତ ଜେନା?
ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ
Comments are closed.