ବରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୬ ଏପ୍ରିଲ ରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏହାର ଶେଷ ତାରିଖ ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ତେବେ ଆଜି (ବୁଧବାର) ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଭରିଛନ୍ତି । ଏହି ପରିପ୍ରେକ୍ଷିରେ ବିଜେପୁର ବିଧାନସଭା ଆସନ ପାଇଁ ବିଜେଡି ଦଳର ବିଧାୟକ ପ୍ରାର୍ଥୀନୀ ରୀତା ସାହୁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିପରି ଭଟଲି ବିଧାନସଭା ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ, ସ୍ୱାଧୀନ ପ୍ରାର୍ଥୀ ଭାବେ ବଲ୍ଲଭ ପାତ୍ର ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଏମଡି ଶାହାରୁଖ ଲୋଧିଆ ଭଟଲି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଅତାବିରା ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଅଭିଶେଖ ଶେଠ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି, ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ଭୁବନ ଭୋସାଗର ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ଅତାବିରା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l
ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଆମ ଆଦ୍ମୀ ପାର୍ଟି ର ପ୍ରାର୍ଥୀ ଡା. ଆଶିଷ ଶତପଥୀ ଉପଜିଲ୍ଲାପାଳଙ୍କ ଠାରେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ, ସ୍ୱାଧୀନ ପ୍ରାର୍ଥୀ ଭାବେ ଭକ୍ତ ବିନୋଦ ବାବା ଓ ରାଷ୍ଟ୍ରୀୟ ମାନବ ପାର୍ଟିର ପ୍ରାର୍ଥୀ ମୁକ୍ତା ନାଗ ବରଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l
ସେହିପରି ବରଗଡ ଲୋକସଭା ଆସନ ପାଇଁ ଆଜି ଚାରି ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ତାଙ୍କର ନାମାଙ୍କନ ପତ୍ର ଜିଲ୍ଲାପାଳଙ୍କ ଠାରେ ଦାଖଲ କରିଥିବାବେଳେ, ବିଏସପି ଦଳର ପ୍ରାର୍ଥୀ ଜୟରାମ ବାଘ, ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଭାତ କୁମାର ଧରୁଆ ଓ ବିଏଚପି ଦଳରୁ କୌଶିକ ସୁନା ବରଗଡ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ତେବେ ଆଜି ବରଗଡ ସହରରେ ଗ୍ରୀଷ୍ମ ପ୍ରବାହ ପ୍ରଚଣ୍ଡ ରହିଥିବାବେଳେ ୪୩ ଡିଗ୍ରୀ ରହିଥିଲା ଉତ୍ତାପ ଏହାକୁ ଖାତିର ନକରି ନାମାଙ୍କନ ପତ୍ର ଦାଖଲ ସମୟରେ ସମସ୍ତ ଦଳ ନିଜ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଓ ନିଜନିଜର ପ୍ରଚାର ପ୍ରସାର କରିଛନ୍ତି । ଯେଉଁ ଦଳର ଯେତେ ଲୋକଭିଡ ସେହି ଦଳର ସେତେ ଭୋଟ୍ ବୋଲି ଯେଉଁ ନିର୍ବାଚନୀ ହାୱା ଦିଆଯାଉଛି ସେଥିପାଇଁ ଚାଲିଥିବା ଏହି ଶକ୍ତିପ୍ରଦର୍ଶନ ପାଇଁ ଆଜି ବରଗଡ ସହରରେ ଜନସମୁଦ୍ର ଦେଖିବାକୁ ମିଳିଥିଲା ।
ବିଜେପି, ବିଜେଡି ଓ କଂଗ୍ରେସ ସମସ୍ତ ଦଳର ପ୍ରାର୍ଥୀ ମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଯାହାଫଳରେ ବରଗଡ ସହରରେ ବ୍ୟାପକ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଥିଲା । ବିଜେଡି ଦଳର ପ୍ରାର୍ଥୀନି ରୀତା ସାହୁଙ୍କ ବିରାଟ ରାଲିରେ ୫ ହଜାରରୁ ଅଧିକ ଲୋକ ସାମିଲ ହୋଇଥିବାବେଳେ, ବିଜେପି ଦଳର ଉଭୟ ଭଟଲି ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ରେଲିରେ ସମୁଦାୟ ୮ ହଜାରରୁ ଅଧିକ ଲୋକଙ୍କ ଭିଡ ରହିଥିଲା ।
ସେହିପରି ଅତାବିରା କଂଗ୍ରେସ ଦଳର ପ୍ରାର୍ଥୀ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଯେଉଁଥିରେ ପାଖାପାଖି ୨ ହଜାର ଲୋକଙ୍କ ଭିଡ ରହିଥିଲା । ଆମ ଆଦମୀ ପାର୍ଟିର ନିଆରା ରାଲି ରହିଥିଲା । ଯେଉଁଥିରେ ଶତାଧିକ ମହିଳା ଝାଡୁ ଧରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ରାସ୍ତାରେ ଝାଡୁକରି ନିଜ ପ୍ରାର୍ଥୀ ଓ ଦଳର ପ୍ରଚାର କରିବା ସହିତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ସମୁଦାୟ ୧୪ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୪ ଜଣ ବରଗଡ଼ ସାଂସଦ ଆସନ ପାଇଁ ଏବଂ ୧୦ ଜଣ ବିଭିନ୍ନ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l
ଆସନ୍ତା ମେ’ ମାସ ୨୦ ତାରିଖରେ ବରଗଡ ଜିଲ୍ଲାରେ ହେବାକୁ ଥିବା ମତଦାନ ପ୍ରକ୍ରିୟା ୨୬ ତାରିଖରୁ ଚାଲିଥିବାବେଳେ ମ’ ମାସ ୩ ତାରିଖ ପର୍ଯ୍ୟନ୍ତ ଏହାର ଶେଷ ସମୟ ଧାର୍ଯ୍ୟ ହୋଇଛି । ତେବେ ମେ’ ୬ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଥିବାବେଳେ ମେ’ ୨୦ ରେ ହେବ ମତଦାନ ଏବଂ ୪ ଜୁନ୍ ରେ ହେବ ଭୋଟ ଗଣତି ।
Comments are closed.