ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ
ଈଶ୍ୱର ମରିଗଲା…
ଈଶ୍ୱର ମରିଯିବା ଏମିତି କିଛି ବଡ଼ ଘଟଣାଟେ ନଥିଲା କଦାପି ଅନ୍ୟମାନଙ୍କ ପାଇଁ । ଈଶ୍ୱର ମରିଯିବା କେଉଁ ଗୋଟେ ବଡ଼ ଖବର ଥିଲା??
ମାତ୍ର ସେ ମରିଯିବା ସହ ସେ ସହରକୁ ଆସିଥିଲା ଗୋଟେ ଝଡ଼… । ଯାହା ସବୁ ଚଳଚଞ୍ଚଳ କରିଦେଇଥିଲା । ରାଜନେତା ଠାରୁ ପ୍ରଶାସନ ସବୁ ଚଳଚଞ୍ଚଳ ହୋଇଉଠିଥିଲେ କେଇଦିନ ପାଇଁ । ସଚେତନତା, ଆନ୍ଦୋଳନ, ଧାରଣା, ବିକ୍ଷୋଭ, ଉତ୍ତେଜନା, ଭାଷଣ ସବୁ ଭିତରେ ଆହୁରି କିଛି ଅଭିଯୋଗ, ଅଧିକାର, ହକ୍
ଉପରେ ଠିଆହୋଇ ଥିଲେ, ଈଶ୍ୱରର ଶବ ଉପରେ ।
ଈଶ୍ୱରର ଶବ ପଡ଼ିଥିଲା ରାଜରାସ୍ତା ଉପରେ..। ଈଶ୍ୱର କିଏ ଥିଲା ଯେ, ତାକୁ ଏ ସହର ମନେରଖିବ ଚିରଦିନ ପାଇଁ… ! ନା ମନ୍ତ୍ରୀ, ନା ନେତା, ନା ଶିକ୍ଷାବିତ୍ ! ନା ସମାଜସେବୀ ସେ ଏମିତି କେହି ନଥିଲା ଯାହାପାଇଁ ଏ ସହର ତା’ର ସ୍ମୃତିସ୍ତମ୍ଭ କରି ମନେରଖିବ ମାତ୍ର ତା\’ ଶବ ପାଲଟି ଯାଇଥିଲା ଆଜି
ମୋହରା ।
ତା’ ଶବକୁ ନେଇ ରାଜନୀତି ହେଉଥିଲା । କଟକ ରାଉସାପଟଣାର ବସ୍ତିଲୋକେ ଉଠିଆସିଥିଲେ ରାଜରାସ୍ତାକୁ । ଦୁଇଦିନ ଧରି ତା’ ଶବ ପଡ଼ିରହିଲା ଧୂପଦୀପ ଫୁଲମାଳ ଭିତରେ, ରାଜସେବା ପାଇ ରାସ୍ତାର ଠିକ୍ ମଝିରେ । ଲୋକଧାରଣା ଦେଇଥିଲେ, ରାଜନେତାଏ କିଛି ଲୋକଙ୍କୁ ନେଇ ତୁମ୍ବିତୋଫାନ୍,
ମାଇକ୍, ପ୍ରତିବାଦରେ ଫାଟିପଡ଼ୁଥିଲା ଖଣ୍ଡମଣ୍ଡଳ । ଉତ୍ତେଜନା, ଆବେଗ ଭିତରେ ଈଶ୍ୱରମା’ ଛାତିରେ ହାତ ବାଡ଼େଇ କାନ୍ଦା କନ୍ଦି ବେହୋସ ହୋଇଯାଉଥିଲା ପୁତ୍ରକୁ ହରାଇବା ଦୁଃଖକୁ ପ୍ରକାଶ କରି ଲୋକମାନଙ୍କ ଆଗରେ ଆଉ ଗଣମାଧ୍ୟମର ବିଭିନ୍ନ ଅଧିକାରୀ ଏସମସ୍ତ ଦୃଶ୍ୟକୁ ବନ୍ଦୀ କରୁଥିଲେ ପୂରା ସତର୍କ ପ୍ରହରୀ ପରି ତମାମ ଦିନରୁ ରାତି ଯାଏ ଗଲା ଦୁଇଦିନ ଧରି । ଟିଭିରେ ଘନଘନ ଏଇ ଖବର । ରାଉସାପଟଣାର ସେ ଅକିଞ୍ଚନ ରିକ୍ସାବାଲା ଈଶ୍ୱର ସତରେ ପାଲଟି ଯାଇଥିଲା ଗୋଟେ ବିରାଟ ଖବର ସାରାଦୁନିଆ
ପାଇଁ । ତା\’ର ମୃତ୍ୟୁ ଏ ସହର ପାଇଁ ଆଣିଥିଲା ଗୋଟେ ଅଭିଯାନର ସ୍ରୋତ ।
କଟକ ରାଉସାପଟଣା ବସ୍ତିର ଛୋଟ ଏକ ବଖୁରିଆ ଟିଣଛାତଦିଆ ଘର ଭିତରେ, ଖଣ୍ଡେ ରିକ୍ସାଧରି ଯେ ନିଜପାଇଁ ଅସଂଖ୍ୟ ସ୍ୱପ୍ନ ବୁଣୁଥିଲା ସେ ହିଁ ଈଶ୍ୱର ଥିଲା । ଜୀବନର ସବୁ ସରିଗଲା ପରି ବୋଧ ହେଉଥିବା ଚେହେରା ଓ ଘଟଣାମାନଙ୍କୁ ଏକାଠି କରି ସ୍ୱପ୍ନ ବୁଣୁଥିବା ଈଶ୍ୱର ଥିଲା ଖୁବ୍ ଆଶାବାଦୀ ଯୁବକ । ଯାହାର ସକାଳ ଆରମ୍ଭ ହୁଏ ସ୍ୱପ୍ନର ଆକାଶକୁ ଅନେକ ରଂଗରେ ଚିତ୍ରଖଞ୍ଜି । ସେ ରିକ୍ସାକୁ ଧୁଏ ତାଙ୍କ ଘର ଆଗ ଟିୱଲ୍ରେ । ଯେଉଁଠି ପାଣିପାଣି… ବୋଲି ଲମ୍ବାଧାଡ଼ିରେ ରଡ଼ି କରୁଥିବେ ବସ୍ତିଯାକର ସବୁ ସ୍ତ୍ରୀଲୋକ ।
ଝଗଡ଼ା, ଏଠି ରିତିମତ ଚାଲେ । ଯାହା ଏକ ସାଧାରଣ ଘଟଣା । ସକାଳରୁ ରାତିଯାଏ ଛୋଟଛୋଟ କଥାରେ ମଧ୍ୟ ଏଠି କଳିରେ ଫାଟିପଡ଼େ । ମଦନିଶାରେ ଚୁର୍ ଗୁଳାଏ ଅସଭ୍ୟ ଗାଳି ଓ ବିତୃଷ୍ଣା ଓ ଅସହାୟ ପଞ୍ଜା ଭିତରେ ବଂଚୁଥିବା ଅନେକ ନାରୀର ବିକୃତ ଚିତ୍କାର ଶୁଭେ ସବୁଦିନେ । ଏସବୁ ନିହାତି ସାଧାରଣ ଘଟଣା । କାନଫାଟିଯାଏ… ମନ ବିକୃତ ହୋଇଯାଏ ।
କେବେ କେବେ ଈଶ୍ୱରର ଇଚ୍ଛା ହୁଏ ତଣ୍ଟିଚିପି ଦିଅନ୍ତା ଦି ଚାରିଟାଙ୍କର । ଛୋଟଛୋଟ କଥାରେ ଏତେ କଳି କାହିଁକି? କ’ଣ କେଇ ମୁହୂର୍ତ୍ତ ଅପେକ୍ଷା କରିବାର ସାମାନ୍ୟତମ ଧର୍ଯ୍ୟନାହିଁ ଏଇ ମଣିଷ ଗୁଡ଼ାଙ୍କର । ସେଇ ଟିୱଲ ତାଙ୍କର ଏକମାତ୍ର ଆଶ୍ରା । ଖରାଦିନେ ଯଦି ପାଣି ନଆସେ ତ ଆସେ ଟାଙ୍କି । ବହୁବାର ଅଭିଯୋଗ କରିବାକୁ ପଡ଼େ ଯାଇ ପାଣି ପାଇଁ ମହାନଗର ନିଗମ ପାଖରେ । ସେମାନେ ବସ୍ତିର ଲୋକ, ବଡ଼ବଡ଼ିଆ ନୁହନ୍ତି । ଥରକେ କେବେ ଶୁଣନ୍ତି ନାହିଁ ବାରବାର ଯିବାକୁ ହୁଏ । ସେଇ ବେଳେ ଈଶ୍ୱରମଙ୍ଗଧରେ ଏସବୁର ।
ଈଶ୍ୱର ନିଜର ରିକ୍ସାଖଣ୍ଡକ ରଖେ ତା’ର ଘର ଆଗରେ । ଖଣ୍ଡେ ଚିରାବେଡ଼୍ସିଟ୍ରେ ପ୍ରତିଦିନ ଘୋଡ଼ାଇ ଦିଏ ରାତିରେ । ସକାଳୁ ପୁଣି ତାକୁ କାଢ଼ି ଭାଙ୍ଗି ଚଉତାଇ ରଖେ ଖଟତଳେ । ଯେଉଁଠି ଅସଂଖ୍ୟ ଚିଜ ଥିଲା ଖଟତଳେ । ତା\’ ବୋଉର ପାନଡ଼ବା ଠାରୁ, ଘର ସଉଦାଡବା ଆଳିମାଳିକା ଅସଂଖ୍ୟ ଜିନିଷା ତା’ର ଟ୍ରଙ୍କ ସହ ସାନଭଉଣୀର ଚୁଡ଼ିଦାର ଚୁଡ଼ି ସଜବାକ୍ସ ।
ସେ ରିକ୍ସା ଧୁଏ । ପୋଛେ ତା’ର ସିଟ୍କୁ ସୂତାକନାରେ । ଟିକେ ମଧ୍ୟ ପାଣି ନରହିଯାଉ, ପରଖେ ସେ । ନିଜେ ଗାଧୋଇ ଧୂପ ଦିଏ । ତା\’ପରେ ପଖାଳବଡ଼ିଚୁରା ନଇଲେ ଆଚାର ଟିକେ ଲଗାଇ ଖାଇଦିଏ ପେଟେ । ବାହାରିଯାଏ ନିଜକୁ ଈଶ୍ୱର ମନେକରି କଟକ ବଜାର । କଟକର ଗଳିକନ୍ଦିରୁ ବକ୍ସିବଜାରବାଦାମବାଡ଼ି ଯାଏଁ ସେ ଘୂରେ ତା’ ରିକ୍ସା ନେଇ । ତାକୁ ଗରାଖ ମିଳିଯାଏ । ଦିନ ତମାମରେ ତା\’ ରିକ୍ସା ଖାଲି ରଖେନା । ସବୁବେଳେ ଗରାଖ ମିଳେ ବରଂ ଶରୀର ତା’ର ଥକିଯାଏ, ମାତ୍ର ରିକ୍ସାର ଭାଗ୍ୟ ବେଶ୍ ଉଜ୍ଜ୍ୱଳ । ସେ କହେ ରିକ୍ସା ତା\’ ପ୍ରେମିକା ତା’ ଯାନ୍… ।
କ୍ରମଶଃ…
Comments are closed.