ଭୁବନେଶ୍ବର: ବରଗଡ ଜିଲ୍ଲାର ପଦମପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଦୁଇ ବର୍ଷ ତଳେ ଚର୍ଚ୍ଚାରେ ରହିଥିଲା ପଦମପୁର ଉପନିର୍ବାଚନ । ୨୦୧୯ର ବିଜେତା ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ତାଙ୍କ ଝିଅ ବର୍ଷା ସିଂ ବରିହା ଉପନିର୍ବାଚନ ଲଢି ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ହଜାର ଭୋଟରେ ପରାସ୍ତ କରିଥିଲେ ବର୍ଷା । ଉପନିର୍ବାଚନରେ ଆଶାତୀତ ଭାବେ ବଢିଥିଲା ବିଜୟ ବ୍ୟବଧାନ ।
ଚବିଶ ନିର୍ବାଚନରେ ଅନେକ ବଦଳିଛି ପଦମପୁର । ବିଜେଡି ପୁଣି ବର୍ଷାଙ୍କୁ ପ୍ରାର୍ଥୀ କରି ମଇଦାନକୁ ଓହ୍ଲାଇଛି । ଉପନିର୍ବାଚନରେ ଅନୁକମ୍ପାମୂଳକ ଭୋଟ୍ ହାତେଇଥିବା ବର୍ଷାଙ୍କ ପାଇଁ ଚବିଶ ଲଢେଇ ଅଗ୍ନିପରୀକ୍ଷା । କାରଣ ଏଥର ସମବେଦନା ଭୋଟ୍ ନୁହେଁ ନିଜ ଦମରେ ନିର୍ବାଚନ ଲଢିବେ ବର୍ଷା ସିଂ ବରିହା । ଉପନିର୍ବାଚନ ବେଳେ ପଦମପୁରକୁ ଜିଲ୍ଲା ମାନ୍ୟତା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ପଦମପୁର ଜିଲ୍ଲା ହୋଇଥିଲେ ସେ ଆଗ ଇସ୍ତଫା ଦେଇଥାନ୍ତେ ବୋଲି ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଏକ ଭିଡିଓରେ କହିଛନ୍ତି । ପଦମପୁରକୁ ଦୀର୍ଘ ଦିନ ଧରି ଜିଲ୍ଲା ଦାବି କରୁଥିବା ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ରହିଛି ।
ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରଦୀପ ପୁରୋହିତ ଏଥର ବରଗଡ ଲୋକସଭାରୁ ଲଢୁଛନ୍ତି । ବିଜେପିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ଗୋବର୍ଦ୍ଧନ ଭୋଏ । ଜଣାଶୁଣା ଆଦିବାସୀ ନେତା ଗୋବର୍ଦ୍ଧନ ୨୦୧୪ରେ ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ। ପରେ ବିଜେପିରେ ସାମିଲ ହୋଇ ପ୍ରଦୀପଙ୍କ ପାଇଁ ପ୍ରଚାର କରିଥିଲେ । ଏଥର ପ୍ରଦୀପ ଦିଲ୍ଲୀ ଲଢେଇ ଲଢୁଥିବା ବେଳେ ଗୋବର୍ଦ୍ଧନ ଭୋଏଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେପଟେ କଂଗ୍ରେସରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ସତ୍ୟଭୂଷଣ ସାହୁ। ପୂର୍ବରୁ ୩ଥର ବିଧାୟକ ହୋଇଥିବା ସତ୍ୟଭୂଷଣ ଉପନିର୍ବାଚନରେ ଶୋଚନୀୟ ଭାବେ ହାରିଥିଲେ। ଏଥର ତାଙ୍କ ପୁତୁରା ଟଙ୍କଧର ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପଦ୍ମପୁରରେ ଆଦିବାସୀ ଭୋଟ୍ ନିର୍ଣ୍ଣାୟକ ହେବ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀରେ ଥିବା ୨୭ପ୍ରତିଶତରୁ ଅଧିକ ଆଦିବାସୀ ଭୋଟର ।
Comments are closed.