ସମ୍ବଲପୁର: ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ । ପ୍ରଥମେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀ ହରିପାଲଙ୍କ ପରିସ୍ରାନଳୀରେ ସଂକ୍ରମଣ ହୋଇଛି। ଏହାସହ ଆସନ୍ତାକାଲି ହାର୍ଣ୍ଣିଆ ଅପରେସନ୍ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଅନ୍ୟପଟେ ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲଙ୍କ ଅସୁସ୍ଥତା ଖବର ପାଇ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଲୋକପ୍ରିୟ ଗାୟକ ଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହ ଆଶୁଆରୋଗ୍ୟ କାମନା କରୁଛି’ ବୋଲି ଲେଖି ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ‘ପ୍ରସିଦ୍ଧ ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରଦ୍ଧେୟ ଜିତେନ୍ଦ୍ର ହରିପାଲ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜାଣିବାକୁ ପାଇଲି । ମା’ସମଲେଇଙ୍କ ପାଖରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦ୍ରୁତ ଆରୋଗ୍ୟ କାମନା କରୁଛି’ ବୋଲି ଲେଖି ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ।
ଜିତେନ୍ଦ୍ର ହରିପାଲ ‘ରଙ୍ଗବତୀ’ ଗୀତ ଗାଈ ପ୍ରସିଦ୍ଧ ଲାଭ କରିଥିଲେ । ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ “ରଙ୍ଗବତୀ”ର ଉପସ୍ଥାପନା କଲେ । ରଙ୍ଗବତୀର ଅପୂର୍ବ ସଫଳତା ପରେ କୋଶଳୀ ଭାଷାରେ ୧୦୦୦ରୁ ଉର୍ଦ୍ଧ ଗୀତ ଗାଇଥିଲେ । ୨୦୧୭ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ଜିତେନ୍ଦ୍ର ।
Comments are closed.