Latest Odisha News

ବଦଳିଗଲେ କି ରାହୁଲ ଗାନ୍ଧୀ? ମୋଦୀଙ୍କୁ ସିଧା ଆଟାକ, ନବୀନଙ୍କ ନାଁ ନେଲେନି

ବଲାଙ୍ଗୀର: ସାଲେପୁର ସଭାରେ ବିଜେଡି ଓ ବିଜେପି ପ୍ରତିକାତ୍ମକ ବାହାଘର କଥା କହି ବେଶ ଚର୍ଚ୍ଚାକୁ ଆସିଥିଲେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ। ହେଲେ ଉପକୂଳରୁ ଯାଇ ପଶ୍ଚିମ ଓଡ଼ିଶାର ସଭାରେ ହଠାତ ବିଜେଡି ବିରୋଧରେ ନରିବତା ଅବଲମ୍ବନ କରିବାକୁ ନେଇ ଏବେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି।

ବଲାଙ୍ଗୀରରେ କଂଗ୍ରେସ ପକ୍ଷରୁ ଜନ ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରାହୁଲ ଗାନ୍ଧୀ, ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ସନ୍ତୋଷ ସିଂହ ସାଲୁଜା, ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ରାହୁଲ ଗାନ୍ଧୀଙ୍କ ଏହି ସଭାକୁ ଲକ୍ଷ ଲକ୍ଷ ଲୋକ ମଧ୍ୟ ଆସିଥିଲେ। ଜିଲ୍ଲାରେ ତ୍ରିମୁଖୀ ଲଢେଇ ରହିଛି। ଏପରି ସ୍ଥିତିରେ ରାହୁଲଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ଥିଲା। ରାହୁଲ କିନ୍ତୁ ତାଙ୍କ ଅଭିଭାଷଣରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସିଧାସଳଖ ଆଟାକ କରିଛନ୍ତି। ହେଲେ ବିଜେଡି ସରକାର ବିରୋଧରେ ଉଁ, ଚୁଁ କହିନଥିଲେ। ଉପକୂଳରେ ପ୍ରଚାର ବେଳେ ରାହୁଲ ଗାନ୍ଧୀ ବିଜେଡିକୁ ଟାର୍ଗେଟ କରିଥିଲେ ମଧ୍ୟ ଏଥର ବଲାଙ୍ଗୀରରେ ନିରବତା ଅବଲମ୍ବନ କରିବା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ବିଜେପି ନିର୍ବାଚନ ଜିତିଲେ ସମ୍ବିଧାନରେ ସଂଶୋଧନ କରିବ। ବିଜେପିର ପ୍ରତ୍ୟେକ ନେତା ଓ କର୍ମୀଙ୍କୁ କହିବାକୁ ଚାହୁଁଛି ଯେ ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବେ ନାହିଁ। ବିଜେପି ୨୨ ଶିଳ୍ପପତିଙ୍କ ୧୬୦୦ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛି। ସରକାର ଲୋକଙ୍କ ପାଇଁ ନୁହେଁ ବରଂ ହାତଗଣତି ପ୍ରଭାବଶାଳୀ ଲୋକଙ୍କ ପାଇଁ କାମ କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଜୁନ୍ ୪ ତାରିଖରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ଏବଂ ପଛୁଆ ବର୍ଗ, ସଂଖ୍ୟାଲଘୁ, ଶ୍ରମିକ ଓ ଅନ୍ୟମାନଙ୍କ ସମେତ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Comments are closed.