ନୂଆଦିଲ୍ଲୀ: ନିର୍ବାଚନ ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ପଶ୍ଚିମବଙ୍ଗରେ ତୀବ୍ର ବିରୋଧ କରୁଛି କଂଗ୍ରେସ। ପ୍ରଦେଶ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ବିଭିନ୍ନ ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ କିନ୍ତୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନାପସନ୍ଦ କରିଛନ୍ତି।
ଶନିବାର ସେ କହିଛନ୍ତି ଯେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ଚୌଧୁରୀ ଇଣ୍ଡିଆ ମେଣ୍ଟ ଉପରେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରନ୍ତୁ ନଚେତ୍ ଇସ୍ତଫା ଦିଅନ୍ତୁ। ଅଧୀର ରଞ୍ଜନ ଚୌଧୁରୀଙ୍କ ମତାମତ ଟିଏମସିକୁ ନେଇ କଂଗ୍ରେସ ନେତୃତ୍ୱଙ୍କ ଆଭିମୁଖ୍ୟ ସହ ମେଳ ଖାଉନି।
ସେ ଆହୁରି କହିଛନ୍ତି, “ସେ (ଚୌଧୁରୀ) ନିଷ୍ପତ୍ତି ନେବେ ନାହିଁ। ଆମେ ନିଷ୍ପତ୍ତି ନେବାକୁ ଆସିଛୁ, କଂଗ୍ରେସ ନିଷ୍ପତ୍ତି ନେବ, ହାଇକମାଣ୍ଡ ଅଛନ୍ତି। ତେଣୁ ଆମେ ଯାହା ନିଷ୍ପତ୍ତି ନେବୁ ତାହା ଠିକ୍ ହେବ। ଆମେ ଯାହା ନିଷ୍ପତ୍ତି ନେବୁ ତାହା ପାଳନ କରିବାକୁ ପଡ଼ିବ ଏବଂ ଯଦି କେହି ଏହାକୁ ପାଳନ ନ କରନ୍ତି, ତେବେ ତାଙ୍କୁ ଦଳ ଛାଡ଼ିବାକୁ ପଡ଼ିବ।
ଖଡଗେଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ମୁଁ ଜଣେ ଦଳୀୟ ସୈନିକ ଭାବେ ଏହି ଲଢ଼େଇକୁ ରୋକିପାରିବି ନାହିଁ। ମୋର ଲଢ଼େଇ (ଟିଏମସି ବିରୋଧରେ) ଏକ ଆଦର୍ଶଗତ ଲଢ଼େଇ। ଏହା କୌଣସି ବ୍ୟକ୍ତିଗତ ଲଢ଼େଇ ନୁହେଁ। ପଶ୍ଚିମବଙ୍ଗରେ ଆମେ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛୁ। ପଶ୍ଚିମବଙ୍ଗରେ ଉଭୟ ବିଜେପି ଓ ଟିଏମସି ପରସ୍ପର ସହ ମିଶିଛନ୍ତି। ସେମାନେ ରାଜ୍ୟରେ ନିର୍ବାଚନକୁ ଦ୍ୱିପାକ୍ଷିକ କରିବାକୁ ଚାହୁଁଛନ୍ତି।
ଇଣ୍ଡିଆ ମେଣ୍ଟ ସରକାର ଗଠନ କଲେ ଟିଏମସି ବାହ୍ୟ ସମର୍ଥନ ଦେବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନ ସମ୍ପର୍କରେ ଖଡଗେ କହିଛନ୍ତି, “ମମତା ପ୍ରଥମେ କହିଥିଲେ ଯେ ସେ ବାହାରୁ ସମର୍ଥନ କରିବେ। ଅତୀତରେ ମଧ୍ୟ ସମାନ ଉଦାହରଣ ଦେଖିବାକୁ ମିଳିଛି। ୨୦୦୪ରେ ୟୁପିଏ ସରକାରକୁ କମ୍ୟୁନିଷ୍ଟମାନେ ବାହାରୁ ସମର୍ଥନ କରିଥିଲେ। ଏବେ ମମତା ମଧ୍ୟ କହିଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟକୁ ସେ ବାହାରୁ ସମର୍ଥନ କରିବେ। ଏହାର ଅର୍ଥ ସେ ମେଣ୍ଟ ସହ ଅଛନ୍ତି ବୋଲି ସ୍ପଷ୍ଟ ହୋଇଛି।
ମମତା ବାନାର୍ଜୀ ମଧ୍ୟ ଶନିବାର ଦୋହରାଇଥିଲେ ଯେ ଟିଏମସି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସହ ସାମିଲ ଅଛି କିନ୍ତୁ ରାଜ୍ୟରେ ନୁହେଁ। ଜାତୀୟ ସ୍ତରରେ ଆମେ ଇଣ୍ଡିଆ ମେଣ୍ଟ ସହ ଅଛୁ। ମୁଁ ଏହାର ନାମ ରଖିଥିଲି ଏବଂ ଆମେ ଏହି ମେଣ୍ଟର ଅଂଶ ବିଶେଷ। କିନ୍ତୁ ବେଙ୍ଗଲରେ ଆମେ ଏକାକୀ ଲଢ଼ୁଛୁ। କଂଗ୍ରେସ ଓ ସିପିଏମକୁ ଭୋଟ୍ ଦିଅନ୍ତୁ ନାହିଁ କାରଣ ଏହା କେବଳ ବିଜେପିକୁ ସାହାଯ୍ୟ କରିବ।
ଏହି ନିର୍ବାଚନରେ ଇଣ୍ଡିଆ ମେଣ୍ଟ ଜିତିବ ଏବଂ ଯେତେବେଳେ ଆମେ କ୍ଷମତାରେ ରହିବୁ, ଆମେ ସିଏଏ, ଏନଆରସି ଏବଂ ୟୁସିସିକୁ ହଟାଇଦେବୁ । ଆମେ ସୁନିଶ୍ଚିତ କରିବୁ ଯେ ସମସ୍ତଙ୍କୁ ୧୦୦ ଦିନିଆ କାର୍ଯ୍ୟ ଯୋଜନା, ଆବାସ ଯୋଜନା ଅଧୀନରେ ଘର ଏବଂ ଅନ୍ୟ ସମସ୍ତ ପ୍ରକଳ୍ପ ଅଧୀନରେ ସେମାନଙ୍କର ପ୍ରାପ୍ୟ ମିଳିବ, ଯାହା ପାଇଁ କେନ୍ଦ୍ର ବର୍ତ୍ତମାନ ପର୍ଯ୍ୟନ୍ତ ପାଣ୍ଠି ଅଟକାଇ ରଖିଛି।
Comments are closed.