ନୂଆଦିଲ୍ଲୀ: ଆରପାରିରେ ନେଚୁରାଲ ଆଇସକ୍ରିମର ଫାଉଣ୍ଡର ରଘୁନନ୍ଦନ କାମତ । ସାରା ଦେଶକୁ ଆଇସକ୍ରିମ ଯୋଗାଉଥିବା ରଘୁନନ୍ଦନ ୭୫ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରଘୁନନ୍ଦନ କାମତଙ୍କୁ ଲୋକମାନେ ଶ୍ରଦ୍ଧାର ସହ ଆଇସକ୍ରିମ ମ୍ୟାନ ଅଫ ଇଣ୍ଡିଆ ବୋଲି ଡାକନ୍ତି । ତେବେ କମ୍ପାନୀର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ତାଙ୍କର ମୃତ୍ୟୁ ଖବର ନେଇ ସୂଚନା ଦିଆଯାଇଛି ।
ନାଚୁରାଲ୍ସ ଆଇସକ୍ରିମ ଏକ୍ସରେ ସୂଚନା ଦେଇ କହିଛି ଯେ, ଆମର ମାଲିକ ତଥା ପ୍ରତିଷ୍ଠାତା ରଘୁନନ୍ଦନ କାମତ ଆଉ ଏହି ଦୁନିଆରେ ନାହାଁନ୍ତି । ଆଜି ଆମ ପାଇଁ ବହୁତ ଦୁଃଖର ଦିନ । ନାଚୁରାଲ୍ସ ପରିବାର ତାଙ୍କୁ ସବୁବେଳେ ତାଙ୍କ ସ୍ମୃତିରେ ବଞ୍ଚାଇ ରଖିବେ । ସେହିପରି କର୍ଣ୍ଣାଟକ ବିଜେପି ମୁଖ୍ୟ କ୍ୟାପଟେନ ବ୍ରିଜେଶ ଚୌଟା ମଧ୍ୟ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ଏକ ଯୁଗର ଯୁଗର ଶେଷ ହୋଇଛି। ‘ଆଇସକ୍ରିମ ମ୍ୟାନ୍’ଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ସେ ନାଚୁରାଲ୍ସ ଆଇସକ୍ରିମର ନାଁ ସାରା ଦେଶରେ ବିସ୍ତାର କରିଛନ୍ତି । ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା ଅଟେ । ମୁଁ ତାଙ୍କ ପରିବାର ପାଇଁ ଶାନ୍ତି ପ୍ରାର୍ଥନା କରୁଛି।
ଆଇସକ୍ରିମ ଇଣ୍ଡଷ୍ଟ୍ରିରେ ରଘୁନନ୍ଦନ କାମତଙ୍କର ଅନେକ ସମ୍ମାନ ଥିଲା । କର୍ଣ୍ଣାଟକର ଏକ ଛୋଟ ସହର ମୁଲ୍କିରୁ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ଜନ୍ମ ଜଣେ ଫଳ ବିକ୍ରୟ କରୁଥିବା ପରିବାରରେ ହୋଇଥିଲା । ରଘୁନନ୍ଦନ କାମତ ମଧ୍ୟ ତାଙ୍କ ପିତାଙ୍କୁ ଫଳ ବ୍ୟବସାୟରେ ସାହାଯ୍ୟ କରୁଥିଲେ । ୧୪ ବର୍ଷ ବୟସରେ ସେ ମୁଲ୍କିରୁ ମୁମ୍ବାଇ ଯିବାକୁ ସ୍ଥିର କଲେ । ସେଠାରେ ସେ ତାଙ୍କ ଭାଇଙ୍କ ରେଷ୍ଟୁରାଣ୍ଟରେ କାମ କରିବା ଆରମ୍ଭ କଲେ ।
ଫେବୃଆରୀ ୧୯୮୪ ରେ, ରଘୁନନ୍ଦନ କାମତ ଚାରିଜଣ କର୍ମଚାରୀଙ୍କ ସହିତ ଏକ ଆଇସ୍କ୍ରିମ୍ ବ୍ୟବସାୟ ଆରମ୍ଭ କରିଥିଲେ । ଆଇସକ୍ରିମର ୧୨ ଟି ଫ୍ଲେବରକୁ ନେଇ ସେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ଅଧିକରୁ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ ଆଇସକ୍ରିମ ସହିତ ପାଓ ଭାଜି ମଧ୍ୟ ବିକ୍ରି କରୁଥିଲେ । ଏଥିରୁ ବ୍ୟବସାୟରେ ତାଙ୍କର ପ୍ରାରମ୍ଭିକ ସଫଳତା ମିଳିବା ଆରମ୍ଭ ହୋଇଥିଲା । ଧିରେ ଧିରେ ଲୋକମାନେ ତାଙ୍କର ଆଇସ୍କ୍ରିମ୍ ପସନ୍ଦ କରିବାକୁ ଲାଗିଲେ । ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ସେ କେବଳ ନାଚୁରାଲ ଆଇସ୍କ୍ରିମ୍ ଉପରେ ଧ୍ୟାନ ଦେଲେ । ଆଜି ନାଚୁରାଲ୍ସ ଆଇସ୍କ୍ରିମ୍ ହେଉଛି ପ୍ରାୟ ୪୦୦ କୋଟି ଟଙ୍କା ମୂଲ୍ୟର ଏକ କମ୍ପାନୀ । ଏହାସହ ଏହି କମ୍ପାନୀର ସମଗ୍ର ଦେଶରେ ୧୩୫ଟି ଆଉଟଲେଟ୍ ଅଛି ।
Comments are closed.