Latest Odisha News

କଳାହାଣ୍ଡି ଶିଳ୍ପୀଙ୍କ କଳାଚାତୁରୀ; ମୂର୍ତ୍ତିରେ ଭରିଦେଉଛନ୍ତି ଜୀବନ…

ନିର୍ଜୀବକୁ ଜୀବନ୍ତ ରୂପ ଦେବା ସହିତ କଳା ସଂସ୍କୃତି ପରମ୍ପରାରେ କଳାହାଣ୍ଡି ଜିଲ୍ଲା ବେଶ ଆଗରେ । ଐତିହ୍ୟ ଓ ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର କଳାହାଣ୍ଡି ଆଜି ସୁନାର କଳାହାଣ୍ଡି ଭାବେ ପରିଚିତ । ପୂର୍ବ ପୁରୁଷରୁ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା କାଠ ଶିଳ୍ପୀ ଗାଁ ଭାବରେ ଖଇରପଦର ସୁଖ୍ୟାତି ଅର୍ଜନ କରିଛି । ଖଇରପଦର ମହାରଣା ପରିବାର ପ୍ରଥମେ ପାନିଆ ତିଆରୀ ପରେ ସପ୍ତପୁରୀ ଅମାବସ୍ୟାରେ ଛୁଆମାନଇଙ୍କ ଖେଳଣା କରୁଥିଲେ । ଅଶି ଦଶକରୁ ତାର ପୁନଃ ଜୀବିତ ହୋଇ ସିମିଳି କାଠରୁ ସାଗୁଆନ କାଠରେ ହାତୀ ଘୋଡା ମୂର୍ତ୍ତି ତିଆରି କରି ନିଜର କଳା ପ୍ରଦର୍ଶନ ଜାରି ରଖିଛନ୍ତି ।

କଳାହାଣ୍ଡିର ଧର୍ମଗଡ ଠାରୁ ମାତ୍ର ୪ କିଲୋମିଟର ଦୂରେ ଖଇରପଦର ଗ୍ରାମ । ଏହି ଗାଁର ମହାରଣା ମାନଙ୍କ ହାତର ଯାଦୁରେ ନିର୍ଜୀବ କାଠ ଗୁଡିକ ଯେମିତି ଜୀବନ୍ତ ହୋଇଉଠେ । ନିର୍ଜୀବ କାଠରେ ତିଆରି ହୋଇଥିବା ହାତୀ,ଘୋଡା, ଗଣେଶ ପ୍ରତି ମୂର୍ତ୍ତି ଦେଖିଲେ ମନ ଖୁସିି ହୋଇଯିବ । ଏହି କାରିଗରଙ୍କ ହାତର ଯାଦୁ ତଥା ଶିଳ୍ପ କଳା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରେ ପରିଚିତ ଖଇରପଦର ଗ୍ରାମ ।

କଣ୍ଢେଇ କାରୀଗରିରେ ମହାରଣା ପରିବାର ସମ୍ପୁର୍ଣ୍ଣ ଭାବରେ ନିର୍ଭରଶୀଳ । ଏମିତି କାରୁକାର୍ଯ୍ୟ ତାଙ୍କ ପୂର୍ବ ପୁରୁଷମାନଙ୍କ କାଳରୁ କରି ଆସୁଛନ୍ତି । କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଅରୁଣ କୁମାର ମହାରଣା ଗୋଟିଏ ଛୋଟ ଅନୁଷ୍ଠାନ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଅରୁଣଙ୍କ କହିବାନୁଯାୟୀ, ତାଙ୍କର ଜେଜେ ବାପାଙ୍କ ପରେ ପରେ ବାପା ଆର୍ତ୍ତ ମହାରଣା ପ୍ରଥମେ ସିମିଳି କାଠରେ ହରିଣ ମୁଣ୍ଡ, ହାତୀ, ଘୋଡା ସବୁ ତିଆରି କରୁଥିଲେ । ସିମିଳି କାଠ ନଷ୍ଟ ହୋଇ ଯିବା ଦେଖି ପ୍ରଥମେ ତାଙ୍କ ବାପା ଶାଗୁଆନ କାଠରେ ପ୍ରଥମ କରି ୧୯୮୯ ମସିହାରେ କାମ ଆରମ୍ଭ କରିଥିଲେ । କିନ୍ତୁ ଜଙ୍ଗଲ ନଷ୍ଟ ଓ କଟକଣା ଯୋଗୁଁ ଶାଗୁଆନ କାଠ ଚାହିଦା ମୁତାବକ ମିଳିପାରୁନି । ପ୍ରୋତ୍ସାହନର ଅଭାବ ଏବଂ କଞ୍ଚାମାଲର ଅଭାବ ଯୋଗୁଁ ଏହି ଶିଳ୍ପ କାରୀଗରୀ ଆଜି ଅସ୍ତିତ୍ୱ ହରାଇବାକୁ ବସିଛି । ତଥାପି ଅନ୍ୟ ଜାତିର କିଛି ବେକାରୀ ଯୁବକ ମାନଙ୍କୁ ନେଇ ବେଶ ଦୁଇ ପଇସା ପାଇ ପରିବାର ପୋଷଣ କରିବା ସହ ନିଜର ପୂର୍ବ ପୁରୁଷଙ୍କ କୌଳିକ ବୃତ୍ତିକୁ ଜୀବନ୍ତ ରଖିଛନ୍ତି ।

କଞ୍ଚାମାଲର ଅଭାବ ଯୋଗୁଁ ତାଙ୍କ କାମରେ ଅସୁବିଧା ହେଉଛି । ତେଣୁ ସରକାର ଦ୍ୱାରା ଏଠାରେ ଏକ କାଠ ଗୋଲା ନିର୍ମାଣ ହେଲେ ସହଜରେ କାଠ ମିଳି ପାରିବ । ସରକାରଙ୍କ ତରଫରୁ ପ୍ରୋତ୍ସାହନ ମଧ୍ୟ ମିଳୁନାହିଁ । ମାତ୍ର ତାଙ୍କ ନିଜସ୍ୱ ପ୍ରଚେଷ୍ଠା ବଳରେ ଏହି ପାରମ୍ପରିକ ବୃତିକୁ ଆଜି ପର୍ଯ୍ୟନ୍ତ ଚଳାଇ ଆସୁଛନ୍ତି ।

(ଲେଖକ ଜ୍ୟୋତି ରଞ୍ଜନ ନାଏକ ଢେଙ୍କାନାଳସ୍ଥିତ ‘ଆଇଆଇଏମସି’ର ଜଣେ ସାମ୍ବାଦିକତା ବିଭାଗର ଛାତ୍ର)

Comments are closed.