Latest Odisha News

BREAKING NEWS

ଆଜିବି ଆସୁଛି ଚିଠି; ଏବେବି ବଞ୍ଚିଛି ଡାକଘର…

ଚିଠି ଆସିଛି ଚିଠି………………

ଏହି ସ୍ୱର, ଏ ଡାକ ଆଉ ଶୁଣିବାକୁ ମିଳୁନି । ଯିଏ ଶୁଣିଛି ସିଏ କେବେ ଭୁଲିପାରିବ ନାହିଁ । ଗାଁ ଦାଣ୍ଡରେ ଡାକବାଲାର ସେହି କର୍କଶ ସ୍ୱର ସହ ତା’ ସାଇକେଲ୍ ଘଂଟିର କ୍ରିଂ କ୍ରିଂ ଶବ୍ଦ କାହାକୁ ଖୁସି ବାଂଟୁଥିବା ବେଳେ କାହାକୁ ଦୁଃଖରେ ମ୍ରିୟମାଣ କରିଦିଏ ।

ଚିଠିର ଇତିହାସ ବହୁ ପୁରୁଣା । ଚିଠିର ଉତ୍ପତ୍ତିକୁ ନେଇ ସେପରି କିଛି ଦୁଷ୍ଟାନ୍ତ ନାହିଁ । ନା ତାର କେହି ସାକ୍ଷୀ ଅଛନ୍ତି, ନା ଅଛି କିଛି ପ୍ରମାଣ । ନା ଥିଲା ସେତେବେଳେ ଡାକଘର, ନା ଥିଲା ଡାକବାଲା । ସେତେବେଳେ ଡାକବାଲାର ଭୂମିକା ନିଭାଉଥିଲା ପାରା । ପାରା ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖବର ପଠାଯାଉଥିଲା ।

ସମୟକ୍ରମେ ଡାକଘରର କଳ୍ପନା ଆସିଲା । ଖ୍ରୀଷ୍ଟାବ୍ଦ ୧୬୫୦ ମସିହାରେ ପ୍ରଥମ ଥର ପାଇଁ ଇଂଲଣ୍ଡରେ ଗଢି ଉଠିଲା ଡାକଘର । ଏହାର ପ୍ରାୟ ୨୦୦ ବର୍ଷ ପରେ ଭାରତରେ ନିର୍ମାଣ ହେଲା ଡାକଘର । ଭାରତରେ ପ୍ରଥମ ଥର ପାଇଁ ୧୮୫୪ ମସିହାରେ ତତକାଳୀନ ଗଭର୍ଣ୍ଣର ଜେନେରାଲ୍ ଅଫ୍ ଇଣ୍ଡିଆ ଲର୍ଡ ଡେଲହାଉସୀଙ୍କ ଦ୍ୱାରା ଡାକଘରର ଭିତ୍ତିପ୍ରସ୍ତର ସ୍ଥାପନା ହେଲା ।

ଡାକଘର ମୁୁଖ୍ୟତଃ ଚିଠି ଦେବା ଆଣିବା, ମନି ଅର୍ଡର, ଟେଲିଗ୍ରାମ ସହ ଜଡିତ । ଡାକଘର ଏବଂ ଗାଁ ଗହଳି ଲୋକଙ୍କ ସମ୍ପର୍କ ବେଶ୍ ନିବିଡ । ନୂଆ ବାହା ହୋଇ ଶାଶୁଘର ଯାଇଥିବା ଝିଅ ଚିଠିର ବାପଘର ଲୋକଙ୍କ ଅପେକ୍ଷା କିମ୍ବା ବାପଘରୁ ଚିଠିର ଉତ୍ତର ପାଇଁ ଝିଅର ଅପେକ୍ଷା ଅବର୍ଣ୍ଣନୀୟ । ଏମିତି ଡାକଘରର ଭୂମିକାର ଉଦାହରଣ ଦେଲେ ଦିସ୍ତା ଦିସ୍ତା କାଗଜ ସରିଯିବ ହେଲେ ଉଦାହରଣ ସରିବନି । ଯେପରିକି ଦୂରଦେଶରେ ଚାକିରୀ କରିଥିବା ପୁଅର ମନିଅର୍ଡରକୁ ମାଆ ବାପାଙ୍କ ଅପେକ୍ଷା କି ଚାକିରୀ ଅନ୍ୱେଷଣରେ ଥିବା ଯୁବକର କଲ୍ ଲେଟର୍କୁ ଅପେକ୍ଷା କିମ୍ବା ପ୍ରେମୀ ଯୁଗଳଙ୍କ ଉଭୟ ଉଭୟଙ୍କ ଚିଠିର ଅପେକ୍ଷା କଥା ହେଉ । ସମସ୍ତ କ୍ଷେତ୍ରରେ ଡାକଘରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଏବେ କିନ୍ତୁ ସମୟର ପରିବର୍ତ୍ତନ ଆସିଛି । ପୂର୍ବରୁ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ ଦେଇ ବ୍ୟତିବ୍ୟସ୍ତ ହୋଇପଡୁଥବବା ଡାକପାଳ ଏବଂ ଡାକବାଲା ଏବେ ନୀରବ । ସତେ ଯେପରି କେହି ଜୋର୍ ଜବରଦସ୍ତ ସେମାନଙ୍କଠାରୁ ସେମାନଙ୍କ ବାକ୍ଶକ୍ତି ଛଡାଇ ନେଇଛି । ସମୟକ୍ରମେ ନୂତନ ଜ୍ଞାନ କୈାଶଳର ଆବିଷ୍କାର ସତେ ଯେପରି ଡାକଘରର ଶ୍ରୀ ଛଡାଇ ନେଇଛି । ଟେଲିଫୋନ୍, କମ୍ପ୍ୟୁଟର, ଇଂଟରନେଟ୍ ଏବଂ ବର୍ତ୍ତମାନର ସୋସିଆଲ୍ ମିଡିଆର ଆବିଷ୍କାର ଡାକଘରର କାର୍ଯ୍ୟ ପରିଧିକୁ ସଂକୁଚିତ କରିଦେଇଛି । ସବୁକାର୍ଯ୍ୟ ଅନ୍ଲାଇନ୍ ମାଧ୍ୟମରେ ଶୀଘ୍ର ଏବଂ ସୁବିଧାରେ ହୋଇଯାଉଛି । ଆଉକେହି ଡାକଘର ଯାଉନାହାନ୍ତି । ଦିନେ ଲୋକମାନଙ୍କ କୋଳାହଳରେ ଫାଟି ପଡୁଥିବା ଡାକଘରେ ଏବେ ଜନଶୂନ୍ୟ ମରୁଭୂମିରେ ପରିଣତ ହୋଇଛି ।

ଏହିସବୁ ସତ୍ୱେ ଗହ୍ମାପୂର୍ଣ୍ଣମା ସମୟରେ ଡାକଘର ଭିଡ ଲାଗୁଥିଲା । ହିନ୍ଦୁ ସଂସ୍କୃତି ଅନୁସାରେ ଭାଇ ଭଉଣୀର ସମ୍ପର୍କ ସ୍ୱର୍ଗୀୟ । ଗହ୍ମା ପୂର୍ଣ୍ଣିମାର ଭାଇ ଭଉଣୀ ହାତରେ ରାକ୍ଷୀ ବାନେ୍ଧ ଏବଂ ଭାଇ ରାକ୍ଷୀ ବାନ୍ଧି ଭଉଣୀର ରକ୍ଷା ପାଇଁ ହୁଏ ପ୍ରତିଶୃତିବଦ୍ଧ । ଭଉଣୀ ଦୂରରେ ରହିଥିବା ତା’ର ଭାଇ ପାଇଁ ରାକ୍ଷୀ ଡାକ ମାଧ୍ୟମରେ ପଠାଉଥିଲା । ଏହାକୁ ଦେଖି ଲୋକମାନଙ୍କ ଏବଂ ଡାକଘର ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ ବାରିହେଉଥିଲା । କିନ୍ତୁ ବର୍ତମାନ ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ବିଧିର ବିଡମ୍ବନା ଏବେ ହ୍ୱାଟ୍ସ୍ ଆପ୍ ମାଧ୍ୟମରେ ରାକ୍ଷୀ ଏବଂ ଚକୋଲେଟ୍ ଫଟୋ ପଠାଇ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଉଛି ।

ସରକାର ଡାକଘରକୁ ପୁନରଜୀବିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ସେପରି କିଛି ଆଖିଦୃଷ୍ଟିଆ ସଫଳତା ମିଳିପାରିନାହିଁ । ଡାକଘର ଏବଂ ଲୋକମାନଙ୍କ ସମ୍ପର୍କକୁ ନିବିଡ କରିବା ପାଇଁ ୨୦୧୮ ମସିହାରେ ସରକାର ଇଣ୍ଡିଆନ୍ ପୋଷ୍ଟ ପେମେଂଟ ବ୍ୟାଙ୍କ୍ ସ୍ଥାପନା କରିଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଦୃତ ହୋଇପାରି ନାହିଁ ।

କିଛିଦିନ ତଳେ ଡାକଘର ରାସ୍ତା ଦେଇ ଗାବେଳେ ହଠାତ୍ ଡାକଘର ସାମ୍ନାରେ ଭିଡଦେଖି ଆଚମ୍ବିତ ହେଲି । ମନରେ ଅଶୁମାରୀ ପ୍ରଶ୍ନ ଉଙ୍କିମାରିଲା । ଉତର ଅନ୍ୱେଷଣରେ ଡାକଘର ଭିତରକୁ ପଶିଗଲି । ବୁଝୁ ବୁଝୁ ଜାଣିବାକୁ ପାଇଲି ସମସ୍ତେ ନିଜ ନିଜର ଡ୍ରାଇଭିଂ ଲାଇସେନ୍ସ ଆସିଛି କି ନାହିଁ ପଚାରିବାକୁ ଆସିଛନ୍ତି । ସରକାରଙ୍କ ନୂଆ ମୋଟର ଯାନ ଆଇନ୍ ଏବେ ସମସ୍ତଙ୍କୁ କରିଦେଇଛି ଆର୍.ଟି.ଓ. ମୁହାଁ ଏବଂ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିସାରିଥିବା ଲୋକମାନଙ୍କୁ ଡାକଘର ମୁହାଁ । ଏହି ଦୃଶ୍ୟକୁ ଦେଖି ଲାଗିଲା ସତେ ଯେପରି ଡାକଘର ଶ୍ରୀ ଫେରିଆସିଛି ଏବଂ ବଂଚିଛି ଡାକଘର । ବିଶ୍ୱାସ ସରକାର ଉପଯୁକ୍ତ ପଦକ୍ଷେପ ନେଲେ ଡାକଘର ଏବଂ ଲୋକମାନଙ୍କ ସମ୍ପର୍କର ଛିଡିଯାଇଥିବା ଖିଅ ପୁଣିଥରେ ଯୋଡି ହୋଇଯିବ ।

(ଲେଖକ ବିକାଶ ରଞ୍ଜନ ଦଳାଇ ଢେଙ୍କାନାଳସ୍ଥିତ ‘ଆଇଆଇଏମସି’ର ଜଣେ ସାମ୍ବାଦିକତା ବିଭାଗର ଛାତ୍ର)
Leave A Reply

Your email address will not be published.