Latest Odisha News

BREAKING NEWS

ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ: ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ବରିଷ୍ଠ ପୋଲିସ ଅଧିକାରୀ ଡି.ଏସ୍ କୁଟେ ଏବଂ ଏସଡିପିଓ ଶ୍ରୀ ଦାସ ମିଳିତ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ତାଙ୍କର କଲ୍ ରେଡର୍କ ଯାଂଚ କରାଯାଉ । ପୋଲିସକୁ ଆୟୁଧ କରି ଚିଲିକା ବିଧାୟକ ତଥା ବିଜେପିର ଖୋର୍ଦ୍ଧା ପ୍ରାର୍ଥୀ ଶ୍ରୀ ଜଗଦେବଙ୍କୁ ଜୋର ଜବରଦସ୍ତ ଏକ ମିଥ୍ୟା ମକଦ୍ଦମାରେ ଫସେଇ ଦିଆଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ପୁଲିସ୍ ବିରୁଦ୍ଧରେ ଏଭଳି କିଛି ଅଭିଯୋଗ କରିଛି ବିଜେପି ।

ବିଜେପି ରାଜ୍ୟ ମୁଖପାତ୍ର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ୨୫ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଡାହା ମିଛ । ରାଜସୁନାଖଳାର ନିର୍ଦ୍ଦିଷ୍ଟ ବୁଥ୍‌ ରେ ଭୋଟିଂ ଚାଲିଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦେବ ପହଂଚିଥିଲେ । ଶ୍ରୀ ଜଗଦେବ ୩.୪୫ରେ ବୁଥ୍‌ରେ ଭୋଟ ଦେବାକୁ ପ୍ରବେଶ କରିଥିଲେ । ସେଠାରେ ପୂର୍ବରୁ ବିଜେଡି କର୍ମୀମାନେ ଯୋଜନାବଦ୍ଧ ଭାବେ ଉପସ୍ଥିତ ରହି ଶ୍ରୀ ଜଗଦେବଙ୍କ ଫସାଇବା ପାଇଁ ଚକ୍ରାନ୍ତ କରିଥିଲେ । ଏଥିସହ ବିଜେପି ସାଂସଦ ଓ ବିଧାୟକଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ ଆଣିଛନ୍ତି ।

ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ ସେଠାରେ ଖଣି ମାଫିଆ ଭାବରେ ପ୍ରସିଦ୍ଧ । ଏସ୍‌ଡିପିଓ ଶ୍ରୀ ଦାସ ମଧ୍ୟ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହ ଅପରାଧୀ ଭଳି ବ୍ୟବହାର କରିଛନ୍ତି । ପୋଲିସ ମୁଖ୍ୟାଳୟରୁ ଏହା ମନିଟରିଂ କରାଯାଉଥିଲା । ୪ଟା ୩୦ରେ ୩ଟି ପୋଲିସ ଗାଡି ଅପରାଧୀଙ୍କ ଭଳି ସାଂସଦ ଗାଡିକୁ ଅଟକାଇଥିଲେ । ବିଜେପିର ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ଥାନାର ବାରଣ୍ଡାରେ ବସେଇ ଅତ୍ୟାଚାର କରାଯାଇଛି । ଏମିତିକି ପରିବାର ଲୋକଙ୍କୁ ଭେଟିବାକୁ ଦେଇନଥିଲେ । ଏଭଳି ଘଟଣା ପଛରେ ଏସଡିପିଓଙ୍କ ସମ୍ପୂର୍ଣ୍ଣ ହାତ ରହିଛି । ବିନା ପ୍ରମାଣରେ ଅପରାଧୀ ଭଳି ବିଧାୟକଙ୍କୁ ବ୍ୟବହାର କରିବା ଏସଡିପିଓ ନୀତି ଓ ନିୟମ ଉଲଘଂନ କରିଛନ୍ତି । ଏଥିସହ ଶାସକ ଦଳର କର୍ମୀ ଭଳି ଏସଡିପିଓ କାର୍ଯ୍ୟ କରିବା ସହ ଅନୁଶାସନ ଭାଙ୍ଗି ବିଜେଡି ପାଇଁ କାମ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ, ବିଜେଡି ପୂର୍ବରୁ ଯୋଜନା କରିଥିଲା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବ ବୋଲି । ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ । ଯଦି ଶ୍ରୀ ଜଗଦ୍ଦେବ ଦୋଷୀ ତାହାଲେ ସିସିଟିଭି ଭିଡିଓକୁ ସାର୍ବଜନୀନ କରାଯାଉ । ଜଣେ ବିଧାୟକଙ୍କୁ ଏଭଳି ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Comments are closed.