ଭୁବନେଶ୍ବର: ଇଭିଏମ୍ ଭାଙ୍ଗିନଥିଲେ ପ୍ରଶାନ୍ତ ଜଗଦ୍ଦେବ । ସିସିଟିଭି ଫୁଟେଜରେ ହେଲା ସ୍ପଷ୍ଟ। ପ୍ରଶାନ୍ତଙ୍କୁ ଫସାଇବାକୁ ହୋଇଥିଲା କି ଷଡଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ହୋଇଥିଲା, ଏହା ପଛରେ କିଏ ? କାହିଁକି ପ୍ରଶାନ୍ତଙ୍କୁ ଜେଲ୍ ପଠାଇବାକୁ ହୋଇଥିଲା ପ୍ଲାନ୍ ? ପ୍ରିଜାଇଡିଂ ଅଫିସରଙ୍କ ଭୂମିକା ନେଇ ଉଠିଛି ପ୍ରଶ୍ନ ।
ବେଗୁନିଆ ନିର୍ବାଚନମଣ୍ଡଳୀର କାଉଁରିପାଟଣା ପୋଲିଂ ବୁଥରେ ଭୋଟ୍ ଦେବା ପାଇଁ ଯାଇଥିଲେ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ପ୍ରଥମେ ଲୋକସଭା ବୁଥରେ ମତଦାନ କରିଥିଲେ । ଏହାପରେ ପ୍ରିଜାଇଡିଂ ଅଫିସରଙ୍କ ସହ କଥା ହୋଇଥିଲେ । ତାଙ୍କୁ ବିଧାନସଭା ବୁଥରେ ଭୋଟ୍ ଦେବାକୁ ଦେଖାଇଥିଲେ ପ୍ରିଜାଇଡିଂ ଅଫିସର । ହଠାତ୍ କେହି ଜଣେ ଇଭିଏମ୍ ଭାଙ୍ଗି ଦେଇଥିଲେ। ତେବେ ସେ ସମୟରେ ଇଭିଏମ୍ ଭଙ୍ଗା ଯିବା ସ୍ଥାନଠୁ ଯଥେଷ୍ଟ ଦୂରରେ ରହିଥିଲେ ପ୍ରଶାନ୍ତ ଜଗଦ୍ଦେବ। ଭଙ୍ଗାଯିବା ଶବ୍ଦ ଶୁଣି ସେ ନିକଟକୁ ଯାଇଥିଲେ । ଏହାପରେ ସେଠାରେ ଉପସ୍ଥିତ କିଛି ଯୁବକଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ସେଦିନ ଘଟଣାର ପୂରା ଦୃଶ୍ୟ ସିସିଟିଭି ଫୁଟେଜରେ ରହିଛି ।
ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିନାହାନ୍ତି । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯେଉଁ ବୁଥରେ ଇଭିଏମ୍ ଭଙ୍ଗା ଯାଇଥିଲା ସେଠାରେ ସେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ । ତେବେ ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଥିବା କଥା କେହି କହିନଥିଲେ । ତାହାଲେ କାହିଁକି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଗଲା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।
ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଯାଇଥିବା ଡ୍ରାଇଭର ବନମାଳି ବେହେରା ମଧ୍ୟ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ରବିବାର ରାତି ୧୦ଟାରେ ପୋଲିସ ତାଙ୍କୁ ଡାକି ନେଇ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ କହିଥିଲେ । ତେବେ ସେ ରାଜି ନହେବାରୁ ତାଙ୍କୁ ମାଡ ମରାଯାଇଥିଲା। ଏପରିକି ମିଛ କେସରେ ଫସାଇ ଦିଆଯିବା ନେଇ ଧମକ ଦିଆଯାଇଥିଲା । ଜୀବନ ଭୟରେ ସେ ପ୍ରଶାନ୍ତଙ୍କ ବିରୋଧରେ ବୟାନ ଦେଇଥିବା ବନମାଳି କହିଥିଲେ ।
ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାଣିଶୁଣି ଫସାଇବାକୁ ହୋଇଥିଲା କି ପ୍ଲାନ୍? ସେଦିନ ପୋଲିଂ ବୁଥ୍ ଭିତରେ କାହିଁକି ଏତେ ଲୋକ ଉପସ୍ଥିତ ରହିଥିଲେ? ଜଣକ ପରେ ଜଣେ ଆସି ଭୋଟ୍ ଦେବାର ନିୟମ ରହିଛି, ପ୍ରଶାନ୍ତ ଜଗଦ୍ଦେବଙ୍କୁ ଫସାଇବାକୁ ଆଗରୁ ଲୋକ ବୁଥରେ ଜଗି ରହିଥିଲେ କି ? କିଏ ସେହି ଲୋକମାନଙ୍କୁ ଜଗାଇଥିଲେ? ଇଭିଏମ୍ ଭାଙ୍ଗିଥିବା ଲୋକ କିଏ ? କେଉଁ ଦଳ ସହ ତାଙ୍କର ସଂପୃକ୍ତି ରହିଛି କି ? ସିସିଟିଭିରୁ ଜଣାପଡୁଛି ଇଭିଏମ୍ ଭାଙ୍ଗି ନାହାନ୍ତି ଜଗଦ୍ଦେବ । ତେବେ ତିନି ଦିନ ହେଲା ତାଙ୍କୁ କେଉଁ ଦୋଷରେ ଗିରଫ କରି ଜେଲରେ ରଖିଛି ପୋଲିସ ? ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଡରିଗଲେ କି ସରକାର? ଅପରାଜିତାଙ୍କ ଅଭିଯୋଗ ଯଦି ସତ, ତେବେ ସାଂଘାତିକ । ସେପଟେ ଜଗଦ୍ଦେବଙ୍କୁ ପୂର୍ବରୁ କାଠଗଡାକୁ ଟାଣିଥିଲା ବିଜେଡି। ତେବେ ସିସିଟିଭି ଫୁଟେଜ୍ ଆସିବା ପରେ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।
Comments are closed.