Latest Odisha News

କୋଚ ଚୟନ ପୂର୍ବରୁ ଚର୍ଚ୍ଚାରେ ଗାଙ୍ଗୁଲିଙ୍କ ପୋଷ୍ଟ

ନୂଆଦିଲ୍ଲୀ: ବିସିସିଆଇର ପୂର୍ବ ଅଧ୍ୟକ୍ଷ ଓ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ଭାବେ ପରିଗଣିତ ସୌରଭ ଗାଙ୍ଗୁଲିଙ୍କ ଏକ କ୍ରିପ୍ଟିକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ଏବେ ନୂତନ କୋଚ ସନ୍ଧାନରେ ରହିଛି । ଏହି ଦୌଡରେ ଗୌତମ ଗମ୍ଭୀର ଆଗରେ ରହିଛନ୍ତି । ଗାଙ୍ଗୁଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, କୋଚର ଚୟନ ବିସିସିଆଇ ଭାବି ଚିନ୍ତି କରିବା ଉଚିତ । ସମ୍ପୂର୍ଣ୍ଣ ପୋଷ୍ଟଟି ଏ ଭଳି.. କୋଚର ମହତ୍ୱ ସର୍ବଦା ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମାର୍ଗଦର୍ଶନ ଓ କ୍ରମାଗତ ପ୍ରଶିକ୍ଷଣ ଖେଳାଳିଙ୍କ ଭବିଷ୍ୟତକୁ ପଡିଆର ଭିତରେ ଓ ବାହାରେ ମଜଭୁତ କରିଥାଏ । ସେଥିପାଇଁ ଭାବି ଚିନ୍ତି କୋଚ ଚୟନ କରାଯାଉ । ସେ ପରୋକ୍ଷରେ ଗମ୍ଭୀରଙ୍କୁ ନେଇ ପ୍ରଶ୍ନ ଉଠାଉଥିବା ଅନୁମାନ କରାଯାଉଛି ।

ଏଥର ଆଇପିଏଲରେ ଗମ୍ଭୀର କେକେଆରର ମେଂଟର ଥିଲେ । କେକେଆର ଚାମ୍ପିୟନ ହେବା ପରେ ତାଙ୍କ ଚାହିଦା ଆଉ ଅଧିକ ବଢ଼ିଯାଇଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ କ୍ରିକେଟର ଘରୋଇ ଢ଼ାଂଚା ସହ ଭଲ ଭାବେ ଅବଗତ ଥିବା ବ୍ୟକ୍ତିଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରାଯିବ । ଭିଭିଏସ ଲକ୍ଷ୍ମଣ ବିସିସିଆଇର ପ୍ରଥମ ପସନ୍ଦ ଥିଲେ ମଧ୍ୟ ସେ କୋଚ ପଦ ନେଇ ଆଗ୍ରହ ପ୍ରକାଶ କରି ନାହାନ୍ତି ।

Comments are closed.