Latest Odisha News

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି । ଗତକାଲି ମୃତ୍ୟୁ ସଂଖ୍ୟା ୯ ଥିବାବେଳେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ୧୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ମେ’ ୨୯ ତାରିଖ ବୁଧବାନ ସନ୍ଧ୍ୟା ସମୟରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଏହି ଅଘଟଣ । ଲୋକେ ବାଣ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ବାଣ ଫୁଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇ ନଥିଲା କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପ୍ରକାର ଆତସବାଜି ପାଇଁ ଆୟୋଜନ ହୋଇନଥିବା କୁହାଯାଉଛି ।

ଅନ୍ୟପକ୍ଷରେ, ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ଏହି ବିସ୍ଫୋରଣ ଘଟଣାର ତଦନ୍ତ କରିବେ ବୋଲି ସୂଚନା ମିଳିଛି। ଏ ନେଇ ଆସନ୍ତା ୬ ତାରିଖରେ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଆଜି ପୁରୀ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଚିଠି କରି ଅବଗତ କରାଇଛନ୍ତି ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପଦ୍ମନାଭ ବେହେରା। ଅତିରିକ୍ତ ରିଲିଫ୍‌ କମିସନର୍‌ ଏହାର ତଦନ୍ତ କରିବେ। ଚନ୍ଦନଯାତ୍ରା ନୀତିରେ ସଂପୃକ୍ତ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ବ୍ୟକ୍ତିବିଶେଷ, ପୁରୀ ଆରକ୍ଷୀ ଅଧୀକ୍ଷକ, ସହକାରୀ ଅଗ୍ନିଶମ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ ହେବା ସହ ଘଟଣାର ତଦନ୍ତ ହେବ। ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ସହ ଅନ୍ୟମାନେ ଯେଭଳି ଏହି ବୈଠକରେ ଉପସ୍ଥିତ ରହିବେ, ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.