Latest Odisha News

ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିବାକୁ ଚାହୁଁଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ୨୪ ବର୍ଷ ୯୦ ଦିନ ସରକାରର ପତନ ହୋଇଛି। ଏହା ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିର୍ବାଚନ ଫଳାଫଳରେ ଏହା ପ୍ରତିଫଳିତ ହୋଇଛି। ଏବେ ବିଜେପି ସରକାର ଗଢ଼ିବାକୁ ଯାଉଛି। ବିଜେଡିର ବିପର୍ଯ୍ୟୟ ପଛରେ ଦଳର ଅନ୍ୟତମ ନେତା ଭି.କେ ପାଣ୍ଡିଆନ ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାରି ଭିତରେ ଏକଦା ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଥିବା ତଥା ଏବେର ବିଜେପିର ବିଜୟୀ ସାଂସଦ ପ୍ରଦୀପ ପାଣିଗ୍ରାହୀ ନବୀନ ପଟ୍ଟନାୟକଙ୍କୁ ଏକ ଅପିଲ୍ କରିଛନ୍ତି। ଆଉ ସେ ଭେଟିବାକୁ ଚାହୁଁଛନ୍ତି ବୋଲି ନିବେଦନ କରିଛନ୍ତି।
ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଅନୁମତି ଦିଅନ୍ତି ତେବେ ମୁଁ ଥରେ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଚାହୁଁଛି। ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଲୋକସଭା ଆସନରୁ ୧ ଲକ୍ଷ ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବା ପରେ ଏହା କହିଛନ୍ତି।
ଠକେଇ ମାମଲାରେ ଫସି ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ ବିଜେପିର ସଦସ୍ୟ ଓ ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁମତି ଦରକାର। ଆଜି ବି ତାଙ୍କ ମନରେ ଏକ ପ୍ରଶ୍ନ ରହିଛି। ବହିଷ୍କାର ପଛର ରହସ୍ୟ କ’ଣ ଥିଲା। ସେ ସତ ଜାଣିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ରାଜନୀତି କେବେ ଅହଂକାର ଓ ବିଶ୍ୱାସଘାତକତା ଉପରେ ଆଧାରିତ ନୁହେଁ ବୋଲି ଏହି ବିଜେପି ନେତା କହିଛନ୍ତି। ନୀତି, ସରଳତା ଓ ସୌଜନ୍ୟ ଉପରେ ଆଧାରିତ ଏବଂ ଓଡ଼ିଶାବାସୀ ବିଶ୍ୱାସ ଦେଖାଇ ଏହାକୁ ପ୍ରମାଣିତ କରିଛନ୍ତି। ଜୀବନର ଶେଷ ପର୍ଯ୍ୟାୟରେ କାହିଁକି ପରାଜୟର ସମ୍ମୁଖୀନ ହେଲେ ନବୀନ ପଟ୍ଟନାୟକ ଆତ୍ମସମୀକ୍ଷା କରିବା ଦରକାର ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।
ଏହି ସମୟରେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ବିଧାୟକ ସହିତ ମନ୍ତ୍ରୀ କରାଇଥିବାରୁ ସେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ନବୀନଙ୍କୁ ଭେଟିଲେ ଯେ କଣ ପଚାରିବେ ପ୍ରଶ୍ନରେ ପ୍ରଦୀପ କହିଛନ୍ତି, ତାହା ସାର (ନବୀନ) ଏହଂ ତାଙ୍କ ମଧ୍ୟର କଥାବାର୍ତ୍ତା।

Comments are closed.