Latest Odisha News

BREAKING NEWS

ସରକାର ଗଠନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ୯ରେ ହେବ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ବୈଠକରେ ଆଜି (ଶୁକ୍ରବାର) ନରେନ୍ଦ୍ର ମୋଦିଙ୍କୁ ଏନଡିଏ ଦଳର ନେତା ଚୟନ କରାଯାଇଛି । ନେତା ନିର୍ବାଚିତ ହେବା ପରେ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି ।

ମୋଦି ଏନଡିଏର ନେତା ଭାବେ ନିର୍ବାଚିତ ହୋଇଥିବା ନେଇ ମେଣ୍ଟ ପକ୍ଷରୁ ଏକ ସମର୍ଥନ ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ପରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ କରିବା ଲାଗି ନିମନ୍ତ୍ରଣ କରିଛନ୍ତି । ଆସନ୍ତା ୯ ତାରିଖ ସନ୍ଧ୍ୟା ୬ ଟାରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ମଧ୍ୟାହ୍ନରେ ଏନଡିଏ ମେଣ୍ଟର ବୈଠକ ବସିଥିଲା । ମେଣ୍ଟର ସଦସ୍ୟମାନେ ମୋତେ ଦଳର ନେତା ବାଛିଛନ୍ତି । ଏ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି । ରାଷ୍ଟ୍ରପତି ମୋତେ ଡାକିଥିଲେ ଏବଂ ଶପଥ ସମାରୋହ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାସହ ମୋତେ ପରବର୍ତ୍ତୀ ସରକାର ଗଠନ ହେବା ଯାଏଁ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ କହିଛନ୍ତି ।

ମୋଦି ଆହୁରି କହିଛନ୍ତି, ଆମେ ଜୁନ ୯ ତାରିଖ ସନ୍ଧ୍ୟାରେ ଶପଥପାଠ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଥିବା ମୁଁ ତାଙ୍କୁ ଜଣାଇଛି । ଏବେ ରାଷ୍ଟ୍ରପତି ଭବନ ପକ୍ଷରୁ ବାକି କାମ କରାଯିବ। ଶପଥ ପାଠ କାର୍ଯ୍ୟକ୍ରମ ପ୍ରସ୍ତୁତି ମଧ୍ୟରେ ଆମେ ରାଷ୍ଟ୍ରପତିଙ୍କୁ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରିବୁ । ଏହାପରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ ହେବ ।

Comments are closed.