ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଆଜି ସମଗ୍ର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।
ରିପୋର୍ଟ ଅନୁଯାୟୀ, ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ଲଗାତାର ବର୍ଷା ହେଉଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ ବନ୍ଦ ଘୋଷଣା କରାଯାଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଏହି ଛୁଟି ଘୋଷଣା କରିଛନ୍ତି। ଏହା ବ୍ୟତୀତ ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବା ଖବର ମିଳିଛି। ସେହିପରି ନୟାଗଡ଼ରେ ମଧ୍ୟ ସ୍କୁଲ ଛୁଟି ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି। ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଆଜି ବନ୍ଦ ରହିବ ବୋଲି ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଘୋଷଣା କରିଛନ୍ତି। କାରଣ ବାତ୍ୟା ଫଳରେ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି।
ଅନ୍ୟପକ୍ଷରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ସମେତ ସୁବର୍ଣ୍ଣପୁର ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି।
ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ଏବଂ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଯଦିଓ ବାତ୍ୟାଟି ଦୁର୍ବଳ ହୋଇଯାଇଛି, ତଥାପି ପ୍ରବଳ ବର୍ଷାର ଆଶଙ୍କା ଟଳିନାହିଁ। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମି ରହିପାରେ।

