Latest Odisha News

କେଉଁଠି ରହିବେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ବର: କେଉଁଠି ରହିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ? ମୁଖ୍ୟମନ୍ତ୍ରୀଙ୍କ ପାଇଁ ସରକାରୀ ବାସଭବନ ଖୋଜା ଚାଲିଛି । ନବୀନ ପଟ୍ଟନାୟକ ସରକାରୀ ବାସଭବନରେ ରହୁନଥିଲେ । ଗତ ୨୪ବର୍ଷ ହେଲା ସେ ନିଜ ବାସଭବନ ନବୀନ ନିବାସରେ ହିଁ ରହୁଥିଲେ । ହେଲେ ଏବେ ରାଜ୍ୟରେ ବଦଳିଛି ସରକାର, ବଦଳିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କ ଜାଗାରେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ମାଝୀ। ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ଉପଯୁକ୍ତ ଓ ବିସ୍ତୃତ କ୍ବାର୍ଟର୍ସ ଖୋଜୁଛି ।

ନବୀନ ନିବାସରୁ କାମ କରୁଥିଲେ ନବୀନ

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ନିବାସରେ ହିଁ ରହୁଥିଲେ ନବୀନ ପଟ୍ଟନାୟକ । ତେବେ  ୨୦୧୯ ପର୍ଯ୍ୟନ୍ତ ସଚିବାଳୟ ଯାଉଥିଲେ ନବୀନ । ଗତ କିଛି ବର୍ଷ ହେଲା ସେ ନବୀନ ନିବାସରୁ କାମ  କରୁଥିଲେ। ଯାହା ରାଜ୍ୟ ରାଜନୈତିକ ଇତିହାସରେ ନିଆରା ଥିଲା । ୨୪ବର୍ଷରୁ ଅଧିକ ସମୟ ଧରି ନବୀନ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ସେ ସରକାରୀ କ୍ବାର୍ଟର୍ସରେ ରହିନଥିଲେ । ଗତ କିଛି ବର୍ଷ ହେଲା ସମସ୍ତ ପ୍ରଶାସନିକ କାର୍ଯ୍ୟ ନବୀନ ନିବାସରୁ ହିଁ କରାଯାଉଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନବୀନ ନିବାସ ନିର୍ମାଣ କରିଥିଲେ ।

କେଉଁଠି ରହିବେ ମୋହନ ମାଝୀ?

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନକୁ ସ୍ଥାନାନ୍ତର ପାଇଁ କିଛି ସମୟ ଲାଗିପାରେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ବାର୍ଟର୍ସ ଖୋଜିବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କକ୍ଷ ସହ କିଛି ଖାଲି କ୍ବାର୍ଟର୍ସକୁ ତାଲିକାଭୁକ୍ତ କରାଯାଇଛି। କ୍ବାର୍ଟର୍ସ ଚୟନ ହେବା ପରେ ଏହାର ନବୀକରଣ ସହ ଆବଶ୍ୟକ ସୁବିଧା ବ୍ୟବସ୍ଥା କରାଯିବ। ଏଥିପାଇଁ କିଛି ସମୟ ଲାଗିବ । ତେଣୁ ଉପଯୁକ୍ତ ଘର ମିଳିବା ଯାଏଁ ରାଜ୍ୟ ଅତିଥି ଭବନକୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅସ୍ଥାୟୀ ଭାବେ ସରକାରୀ ବାସଭବନ ଭାବେ ପ୍ରସ୍ତୁତ କରାଯାଇପାରେ ।

ପୂର୍ବରୁ କେଉଁଠି ରହୁଥିଲେ ମୁଖ୍ୟମନ୍ତ୍ରୀ?

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ଗିରିଧର ଗମାଙ୍ଗ ରାଜଭବନ ଏବଂ ଏଜି ସ୍କୋୟାର ମଧ୍ୟରେ ଅବସ୍ଥିତ ଏକ ସରକାରୀ କ୍ବାର୍ଟର୍ସରେ ରହୁଥିଲେ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରଠୁ ଏହି କ୍ବାର୍ଟର୍ସ କାହାକୁ ଦିଆଯାଇନଥିଲା । ପରେ ଏହାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଥିଲେ ନବୀନ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନବୀନ ନିବାସରେ ରହୁଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ କ୍ୟାପିଟାଲ୍ ହସପିଟାଲରୁ ଏଜି ସ୍କୋୟାର ରାସ୍ତାରେ ଭୁବନେଶ୍ବର କ୍ଲବ ନିକଟରେ ଥିବା ଘରେ ରହୁଥିଲେ ।

ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବାସଭବନ ଥିବା ବେଳେ ଓଡିଶାରେ ସିଏମଙ୍କ ପାଇଁ ସରକାରୀ ବାସଭବନ ନାହିଁ । ଗତ ୨୪ବର୍ଷ ହେଲା ନବୀନ ପଟ୍ଟନାୟକ ନିଜ ବାସଭବନରେ ରହୁଥିବାରୁ ଏହାର ଆବଶ୍ୟକତା ପଡିନଥିଲା। ତେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଉପଯୁକ୍ତ ଘର ଖୋଜା ଚାଲିଛି ।

Comments are closed.