Latest Odisha News

ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ନୂଆ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇନଥିବା ବେଳେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ୮ ଥର ବିଧାୟକ ଥିବା ରାଜା ସ୍ୱାଇଁଙ୍କୁ ସପ୍ତଦଶ ବିଧାନସଭାର ପ୍ରୋଟେମ୍ ସ୍ପିକର ଭାବେ ନିଯୁକ୍ତ କରିଛନ୍ତି। ବିଜେଡି ବିଧାୟକ ସ୍ୱାଇଁ ଶୁକ୍ରବାର ରାଜଭବନରେ ପ୍ରୋଟେମ୍ ସ୍ପିକର ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ପୂର୍ବତନ ମନ୍ତ୍ରୀ ରାଜା ସ୍ୱାଇଁ ପ୍ରୋଟେମ୍ ସ୍ପିକର ଭାବେ ଜୁନ୍ ୧୮ ଓ ୧୯ ତାରିଖରେ ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ନୂଆ ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୧୯ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଜୁନ୍ ୨୦ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରଣପୁରର ବିଜେପି ବିଧାୟକ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ପ୍ରାର୍ଥୀ ହେବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ପ୍ରୋଟେମ୍ ବାଚସ୍ପତି ହେଉଛନ୍ତି ଅସ୍ଥାୟୀ ବାଚସ୍ପତି, ଯାହାଙ୍କୁ ରାଜ୍ୟ ବିଧାନସଭାଗୁଡ଼ିକରେ କାର୍ଯ୍ୟ ପରିଚାଳନା ପାଇଁ ସୀମିତ ସମୟ ପାଇଁ ନିଯୁକ୍ତ କରାଯାଇଛି। ସାଧାରଣତଃ ନୂଆ ବିଧାନସଭାର ପ୍ରଥମ ଅଧିବେଶନ ପାଇଁ ପ୍ରୋଟେମ୍ ସ୍ପିକର ନିର୍ବାଚିତ ହୁଅନ୍ତି, ଯେଉଁଠାରେ ବାଚସ୍ପତି ନିର୍ବାଚିତ ହୋଇନାହାନ୍ତି।

Comments are closed.