Latest Odisha News

ତେଜୁଛି ନିଟ୍ ପରୀକ୍ଷା ବିବାଦ, ଦୁଇ ଦିନିଆ ଧର୍ମଘଟ ଡାକରା ଦେଲେ ବାମପନ୍ଥୀ ଛାତ୍ର ସଂଗଠନ

ନୂଆଦିଲ୍ଲୀ: ମେଡିକାଲ ନାମଲେଖା ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଆୟୋଜନରେ ଅନିୟମିତତା ଅଭିଯୋଗରେ ବାମପନ୍ଥୀ ଛାତ୍ର ସଂଗଠନ ଗୁଡ଼ିକ ଶନିବାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଦୁର୍ନୀତି ଓ ଅବ୍ୟବସ୍ଥା ପ୍ରତିବାଦରେ ଅଖିଳ ଭାରତୀୟ ଛାତ୍ର ସଂଘ (ଆଇସା) ଜୁନ୍ ୧୯ ଓ ୨୦ ରେ ଧର୍ମଘଟ ଡାକରା ଦେଇଛି।

ରେକର୍ଡ ସଂଖ୍ୟକ ୬୭ ଜଣ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ହାଇ ସ୍କୋରର ହରିୟାଣାର ସମାନ ପରୀକ୍ଷା କେନ୍ଦ୍ରରୁ ଆସିବା ପରେ ନକଲି କିମ୍ବା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିଛି। ଏହାପରେ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ବର୍ଦ୍ଧିତ ଗ୍ରେସ୍ ମାର୍କ ଦିଆଯାଇଥିବା ଅଭିଯୋଗ କରି ଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି।

ଆଇସା ଦିଲ୍ଲୀ ରାଜ୍ୟ ସମ୍ପାଦକ ନେହା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଚୁପ୍ ରହିଛନ୍ତି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଟ୍ ପରୀକ୍ଷାର୍ଥୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ଚିନ୍ତା ପ୍ରକଟ କରିଛନ୍ତି।

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ସଭାପତି ଧନଞ୍ଜୟ ଏନଟିଏକୁ ନିନ୍ଦା କରିଛନ୍ତି। ଏଥିସହ ନିଟ୍ ୨୦୨୪ ଅନିୟମିତତାକୁ ଏକ ଗଭୀର ବ୍ୟବସ୍ଥାଗତ ସମସ୍ୟାର ଲକ୍ଷଣ ବୋଲି କହିଛନ୍ତି। ପରୀକ୍ଷା ପୁନଃ ଆୟୋଜନ, ଦୁର୍ନୀତି ଘଟଣାର ସ୍ବାଧୀନ ତଦନ୍ତ ଦାବି କରିଥିବା ଆଇସା ପକ୍ଷରୁ ସମଗ୍ର ଦେଶରେ ଛାତ୍ରଛାତ୍ରୀଙ୍କୁ ଏହି ଧର୍ମଘଟରେ ସାମିଲ ହେବାକୁ ଅନୁରୋଧ କରାଯାଇଛି।

ସେପଟେ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ୨୦ ଜଣ ଛାତ୍ରଛାତ୍ରୀ ନିଟ୍-ୟୁଜି ୨୦୨୪ ପରୀକ୍ଷାକୁ ରଦ୍ଦ କରିବା ପାଇଁ ଶନିବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ଅନ୍ୟାନ୍ୟ ଆବେଦନର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟରେ ଚାଲିଛି।

Comments are closed.