Latest Odisha News

ରାତି ପାହିଲେ ସ୍ନାନପୂର୍ଣ୍ଣିମା, ପଟିଦିଅଁ ପ୍ରସ୍ତୁତିରେ ଚିତ୍ରକାର ସେବକ

ପୁରୀ : ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ପରେ ଅଣସରକାଳୀନ ଗୁପ୍ତ ନୀତି ଚାଲିବ। ୧୫ ଦିନ ଧରି ଏହି ଗୁପ୍ତ ନୀତି ଚାଲିବାକୁ ଥିବାବେଳେ ଏହି ସମୟରେ ପଟିଦିଅଁ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ଅଣସର ତାଟି ନିକଟରେ ପୂଜା ପାଇବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଚିତ୍ରକର ସେବକମାନଙ୍କ ପଟିଦିଅଁ ପ୍ରସ୍ତୁତି କାମ ମଧ୍ଯ ଶେଷ ପର୍ଯ୍ୟାୟରେ।

ପଟିଦିଅଁ ପ୍ରସ୍ତୁତି କାର୍ଯ୍ୟ ଶୀତଳଷଷ୍ଠୀରୁ ଆରମ୍ଭ ହୋଇଥାଏ। ସ୍ନାନଯାତ୍ରା ପରଦିନ ଏହା ଶ୍ରୀମନ୍ଦିରକୁ ବିଜେ କରିଥାଏ। ପଟିଦିଅଁ ପ୍ରସ୍ତୁତି ପାଇଁ ନୂଆ କନା, ଅଠା, ଖଡ଼ି ଗୁଣ୍ଡ ଆଦି ଆବଶ୍ୟକ ପଡ଼ିଥାଏ। ପ୍ରଥମେ ପଟି ଅଠା ରନ୍ଧା ହୁଏ। ଏହାକୁ ନୂଆ କନାରେ ବୋଳା ହୋଇ ଶୁଖିବା ପାଇଁ ଛାଡ଼ି ଦିଆଯାଏ। ପଟି ଶୁଖିଲା ପରେ ଖଡ଼ି ବୋଳା ଆରମ୍ଭ ହୋଇଥାଏ। ପରେ ଖସା ଓ ପଲିସ୍‌ କାମ ଆରମ୍ଭ ହୁଏ। ପଲିସ୍‌ ହୋଇ ଚିକ୍କଣ ଦେଖାଯିବା ପରେ ଏହାକୁ ମାପ ଅନୁଯାୟୀ କଟା ଯାଇଥାଏ। ପରେ ରଙ୍ଗ କାମ ଆରମ୍ଭ ହୋଇଥାଏ। ରଙ୍ଗ ପାଇଁ ବିଭିନ୍ନ ପ୍ରକାର ରଙ୍ଗ ଗୁଣ୍ଡ ବଜାରରୁ କିଣିବାକୁ ପଡ଼ିଥାଏ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିବେ ମହାପ୍ରଭୁ। ଶ୍ରୀଜିଉଙ୍କ ୧୫ ଦିନିଆ ଅଣସର ନୀତି ବେଳେ ଅନେକ ଗୁପ୍ତ ନୀତି ଅନୁଷ୍ଠିତ ହେବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ପଟିଦିଅଁଙ୍କ ସହ ଅନ୍ୟ ଠାକୁରବି ଶ୍ରୀମନ୍ଦିରକୁ ବିଜେ କରିବେ। ପଟିଦିଅଁ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ରୂପରେ ଭୁବନେଶ୍ୱରୀ ବିଜେ କରିବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ପ୍ରଭୁ ନୃସିଂହ ଭଗବାନ ବି ବିଜେ କରିବେ। ଅଣସର ଘର ତାଟି ନିକଟରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ୧୫ ଦିନ ଛପନ ପଉଟି ଭୋଗ ଲାଗି ହେବ। ଏହି ସମୟରେ ଅଣସର ଘରେ ଥିବା ଶ୍ରୀଜିଉଙ୍କୁ ପଥି ଭାବେ ଫଳମୂଳ ଆଦି ଭୋଗ ଲାଗି ହେବ।

Comments are closed.