Latest Odisha News

ସଂଧ୍ୟା ସୁଦ୍ଧା ବାରିପଦାରେ ଗଡିବ ବସ, ଯାତ୍ରୀଙ୍କୁ ଆଶ୍ବସ୍ତି

ବାରିପଦା: ବାରିପଦାବାସୀଙ୍କୁ ମିଳିଲା ଆଶ୍ବସ୍ତି । ସନ୍ଧ୍ୟାରୁ ସ୍ବାଭାବିକ ହେବ ବସ୍ ଚଳାଚଳ । ସନ୍ଧ୍ୟା ୭ଟାରୁ ସ୍ବାଭାବିକ ଭାବେ ବାରିପଦା ବସଷ୍ଟାଣ୍ଡରୁ ବସ୍ ଗଡିବ ନେଇ ସୂଚନା ଦେଇଛନ୍ତି ବାରିପଦା ଏସପି । ଏହା ପରେ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ।

ସୂଚନାଯୋଗ୍ୟ, ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଭଦ୍ରକରୁ ବାରିପଦା ମଧ୍ୟରେ ଚାଲୁଥିବା ‘ମାଆ ଦୁର୍ଗା’ ନାମକ ଘରୋଇ ବସ୍ ସନ୍ଧ୍ୟା ୮ଟା ୯ ମିନିଟରେ ବାରିପଦା ବସଷ୍ଟାଣ୍ଡ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ପାଇଥିଲା। ତେଣୁ ନିୟମ ଅନୁଯାୟୀ ବସଟି ସେହି ସମୟରେ ପ୍ରତିଦିନ ପ୍ରବେଶ କରେ ଏବଂ ୮ଟା ୨୫ ମିନିଟ ସୁଦ୍ଧା ଷ୍ଟାଣ୍ଡରୁ ବାହାରେ। ହେଲେ ଶୁକ୍ରବାର ବସଟି ସନ୍ଧ୍ୟା ସାଢ଼େ ୭ ଟାରେ ଷ୍ଟାଣ୍ଡ ଭିତରେ ପଶିଯାଇଥିଲା। ସେଥିପାଇଁ ଷ୍ଟାଣ୍ଡ କର୍ମଚାରୀମାନେ ବିରୋଧ କରିଥିଲେ। ହେଲେ ‘ମାଆ ଦୁର୍ଗା’ ବସ୍ ପରିଚାଳକ ଜବରଦସ୍ତି ପଶିଥିବାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ସେହି ଯୁକ୍ତିତର୍କ ଭିତରେ ୧୦୦ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଷ୍ଟାଣ୍ଡ ଭିତରେ ପଶି ବସ୍ ମାଲିକ ଓ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଫଳରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁଁ ୫ ଜଣ ଗୁରୁତର ହୋଇଛନ୍ତି। ଯାହାକୁ ନେଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବେ ବେଳେ ଯିବା ଆସିବାରେ ବାଧାପ୍ରାପ୍ତ ହେବାରୁ ହନ୍ତସନ୍ତ ହେଉଥିଲେ ଲୋକେ । । ଅନ୍ୟପକ୍ଷରେ ବାରିପଦା ଟାଉନ ଥାନା ପୋଲିସ ଏହି ମାମଲାରେ ୧୦ ଜଣଙ୍କୁ ଅଟକ ରଖିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ବସ୍ ଚଳାଚଳ ସ୍ବାଭାବିକ ହେବ ବୋଲି ସୁଚନା ଦେଇଛନ୍ତି ଏସପି ।

Comments are closed.