Latest Odisha News

BREAKING NEWS

ବିଜେଡି ଶୂନ୍ୟ ଲୋକସଭା, ରାଜ୍ୟସଭାରେ ବିରୋଧୀ ଆସନରେ ବସିବ କହିଲା ଦଳ

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ଦଳ ଲୋକସଭାରେ କୈଣସି ଆଭିମୁଖ୍ୟ ରଖିପାରିବ ନାହିଁ। ଅଷ୍ଟାଦଶ ଲୋକସଭା ଆରମ୍ଭ ହୋଇଛି। ଦୁଇ ଦିନ ଧରି କାମଚଳା ବାଚସ୍ପତି ସାଂସଦଙ୍କୁ ଶପଥ ପାଠ କରାଇବେ। ଏହାରି ଭିତରେ କିନ୍ତୁ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ହେବ ତାକୁ ନେଇ ନବୀନ ନିବାସରେ ସଂସଦୀୟ ଦଳ ବୋର୍ଡର ବୈଠକ ବସିଥିଲା।

ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦଳର ସଂସଦୀୟ ବୋର୍ଡ ବୈଠକ ବସିଥିଲା। ୯ ଜଣ ରାଜ୍ୟସଭା ସାଂସଦ ଏହି ବୈଠକରେ ବସିଥିଲା। ବୈଠକ ପରେ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟସଭା ସଭ୍ୟମାନଙ୍କୁ ସଂସଦର ଉଚ୍ଚ ସଦନରେ ରାଜ୍ୟବାସୀଙ୍କ ସ୍ୱରକୁ ପ୍ରଭାବଶାଳୀ ଭାବେ ଉଠାଇବାକୁ ଦଳର ସଭାପତି କହିଛନ୍ତି।

ବିଜେଡି ସଂସଦୀୟ ଦଳ ବୈଠକରେ ଅଧ୍ୟକ୍ଷତା କରି ନବୀନ ପଟ୍ଟନାୟକ ସଂସଦରେ ଏକ ଦୃଢ଼ ଓ ପ୍ରଭାବଶାଳୀ ବିରୋଧୀ ଦଳ ହେବାକୁ ଆମକୁ ଦୃଢ଼ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ବିଜୁ ଜନତା ଦଳର ୯ ଜଣ ରାଜ୍ୟସଭା ସାଂସଦ ସଂସଦରେ ରାଜ୍ୟର ଦୃଢ଼ ସ୍ୱର ହେବେ ଏବଂ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ସମସ୍ୟା ଉଠାଇବେ ବୋଲି ସେ କହିଛନ୍ତି।

ସଂସଦରେ ବିରୋଧୀ ଇଣ୍ଡିଆ ମେଂଟର ସଦସ୍ଯ ଏନଇଇଟି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍, ଦରଦାମ ବୃଦ୍ଧି, ରେଲଓ୍ବେ ଦୁର୍ଘଟଣା ଆଦିକୁ ପ୍ରମୁଖ ଅସ୍ତ୍ର କରିପାରନ୍ତି। ଏହି ସମୟରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ମୋଦୀ ସରକାରର ଦୁଇଟି ପୂର୍ବ କାର୍ଯ୍ୟକାଳରେ ଓଡିଶାରେ ବିଜେଡି କ୍ଷମତାରେ ଥିଲା। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କ ଦଳ ବିଜେପିକୁ ସମର୍ଥନ କରିଛି। ନହେଲେ ଗୃହରୁ କକ୍ଷତ୍ୟାଗ କରି ପରୋକ୍ଷରେ ବିଜେପିକୁ ସମର୍ଥନ କରିଛି। ଏବେ କିନ୍ତୁ ରାଜ୍ୟରେ ସ୍ଥିତି ଓଲଟିଯାଇଛି। ତେଣୁ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ଉପରେ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ସଂସଦର ଲୋକସଭାରେ ବିଜେଡିର ୨୦ ସାଂସଦ ରହିଥିବା ବେଳେ ବିଜେପିର ଏକମାତ୍ର ସାଂସଦ ଜୁଏଲ ଓରାମ ଥିଲେ। ଏବେ କିନ୍ତୁ ୧୦ ବର୍ଷରେ ସ୍ଥିତି ବଦଳିଯାଇଛି। ବିଜେପିର ୨୦ ସାଂସଦ ଲୋକସଭାରେ ରହିଥିବା ବେଳେ କଂଗ୍ରେସର ଜଣେ ସାଂସଦ ଭାବେ ସପ୍ତଗିରି ଉଲାକା ପ୍ରତିନିଧିତ୍ୱ କରୁଛନ୍ତି।

Comments are closed.