Latest Odisha News

BREAKING NEWS

ସଂସଦରେ ଚାଲିବନି ଏନଡିଏର ମନମାନି, ଆରମ୍ଭରୁ ବିରୋଧୀ ଦେଲେ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାରେ ଗୃହକାର୍ଯ୍ଯ ଚଳାଇବା ଏନଡିଏ ସରକାର ପାଇଁ କାଠିକର ହେବ। ସଦନର ଦୁଇଟି ଗୃହରେ ବିରୋଧୀ ମଜବୁତ ସ୍ଥିତିରେ ଅଛନ୍ତି, ଅନ୍ୟପଟେ ବିଜେପିକୁ ସହଯୋଗୀ ଭରସା। ଆଉ ଦୁଇ ସହଯୋଗୀ ଜେଡିୟୁ, ଟିଡିପି ଉପରେ ବିରୋଧୀ ମଧ୍ୟ ନିଜ ପଟକୁ ଆଣିବାକୁ ପ୍ରୟାସ କରୁଛନ୍ତି। ଯଦି ଏହି ଦୁଇ ଦଳର ସମର୍ଥନ ହାସଲ କରିବେ ତାହେଲେ ଏନଡିଏ ସରକାର କ୍ଷମତାରୁ ହଟିଯାଇପାରେ। ଏପରି ସ୍ଥିତିରେ ଚଳିତ ଅଷ୍ଟାଦଶ ଲୋକସଭାରେ ବିଜେପିର ପୂର୍ବଭଳି ରୁବାବ ଆଉ ଦେଖିବାକୁ ନମିଳିପାରେ।

ବିରୋଧୀଙ୍କ ଭୂମିକା ଶାଣିତ ହେବ ବୋଲି ଆଜିଠୁ ଜଣାପଡ଼ିଛି। କାମଚଳା ବାଚସ୍ପତିଙ୍କ ନିଯୁକ୍ତି ପ୍ରକ୍ରିୟା ସଂସଦୀୟ ପରମ୍ପରାର ବିରୋଧୀ। ଏପରି କହି ସମ୍ବିଧାନର ଏକ ପୁସ୍ତକ ଧରି ବିରୋଧୀ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତିି ତଳେ ଧାରଣା ଦେଇଛନ୍ତି। । ବାଚସ୍ପତି ନିର୍ବାଚିତ ହେବା ପରେ ଏହି ପଦର କୈଣସି ମୂଲ୍ୟ ନାହିଁ। କିନ୍ତୁ ବିରୋଧ କରି ଯେଉଁ ବାର୍ତ୍ତା ଦେଇଛି ତାହା ଆଗାମୀ ଦିନରେ ସଂସଦରେ ମଧ୍ୟ ପ୍ରତିଫଳିତ ହେବ ବୋଲି ସ୍ପଷ୍ଟ ହୋଇସାରିଛି।

ସେହିପରି ନୂଆ ସରକାରର ୧୫ ଦିନ ମଧ୍ୟରେ ଦେଶରେ ଘଟିଥିବା ବିଭିନ୍ନ ଘଟଣାବଳୀ  ଯେଉଁଥିପାଇଁ ମୋଦୀ ସରକାର ଦାୟୀ ବୋଲି ସୋଶିଆଲ ମିଡିଆରେ ପୋଷ୍ଟ କରି ୟୁପିର ରାୟବରେଲି ସାଂସଦ ମତ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସରକାର ବଞ୍ଚାଇବାରେ ବ୍ୟସ୍ତ ଥିବା ଅଭିଯୋଗ କରି ରାହୁଲ କହିଛନ୍ତି, ଏନଡିଏର ପ୍ରଥମ ୧୫ ଦିନରେ ୧. ଭୟଙ୍କର ରେଳ ଦୁର୍ଘଟଣା; ୨. କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ୩. ଟ୍ରେନ୍ ରେ ଯାତ୍ରୀଙ୍କ ଦୁର୍ଦ୍ଦଶା; ୪. ନିଟ୍ ଦୁର୍ନୀତି; ୫. ନିଟ୍ ପିଜି ବାତିଲ; ୬. ୟୁଜିସି ନେଟ୍ ପେପର ଲିକ୍; ୭. କ୍ଷୀର, ଡାଲି, ଗ୍ୟାସ, ଟୋଲ ଓ ମହଙ୍ଗା; ୮. ନିଆଁରେ ଜଳୁଛି ଜଙ୍ଗଲ; ୯. ଜଳ ସଙ୍କଟ; ୧୦. ଗ୍ରୀଷ୍ମ ପ୍ରବାହ ସମୟରେ ବ୍ୟବସ୍ଥା ଅଭାବରୁ ମୃତ୍ୟୁ।

ଦୃଢ଼ ବିରୋଧୀ ଦଳ ଇଣ୍ଡିଆ ମେଂଟ ଲୋକଙ୍କ ସ୍ୱର ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିବ ବୋଲି ସେ କହିଛନ୍ତି। ରାଏବରେଲି ସାଂସଦ ମଧ୍ୟ ସମ୍ବିଧାନ ଉପରେ ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସମାଲୋଚନା କରିଛନ୍ତି।

ମାନସିକ ସ୍ତରରେ ବ୍ୟାକ୍ଫୁଟରେ ନରେନ୍ଦ୍ର ମୋଦୀ ନିଜ ସରକାର ବଞ୍ଚାଇବାରେ ବ୍ୟସ୍ତ ଅଛନ୍ତି। ଇଣ୍ଡିଆ ମେଂଟ ତାର ବିରୋଧ ଜାରି ରଖିବ, ଲୋକଙ୍କ ସ୍ୱର ଉତ୍ତୋଳନ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କୁ ବିନା ଉତ୍ତରଦାୟିତ୍ବରେ ଖସିଯିବାକୁ ଦେବ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତାମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରି ସମ୍ବିଧାନର ନକଲ ହାତରେ ଧରି ଦୋହରାଇଥିଲେ ଯେ କୌଣସି ଶକ୍ତି ଭାରତୀୟ ସମ୍ବିଧାନକୁ ଛୁଇଁ ପାରିବ ନାହିଁ। ଅନ୍ୟପଟେ ମୋଦୀ ଆଜି ସଂସଦ ଆରମ୍ଭ ହେବା ପୂର୍ବରୁ କହିଛନ୍ତି, ତାଙ୍କ ତୃତୀୟ କାର୍ଯକାଳରେ ତିନି ଗୁଣା ବିକାଶ ହେବ।

ଉଲ୍ଲେଖଯୋଗ୍ଯ, ପୂର୍ବ ଦୁଇଟି ସରକାରରେ ବିଜେପିର ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିଲା। ତେଣୁ ଅନେକ ପ୍ରସଙ୍ଗରେ ଲୋକସଭାରେ ବିଜେପି ବିନା ଭୟରେ ନିଜ ଅନୁସାରେ ବିଲ୍ ପାରିତ କରୁଥିଲା। ରାଜ୍ୟସଭାରେ ବିଜେଡି, ଓ୍ୱାଇଏସଆର କଂଗ୍ରେସ ଭଳି ଦଳକୁ ମ୍ୟାନେଜ କରୁଥିଲା। ଏବେ କିନ୍ତୁ ଏହି ଦୁଇ ଦଳ ପ୍ରସଙ୍ଗ ଧରି ଆଭିମୁଖ୍ୟ ରଖିବେ କହି ପୂର୍ବଭଳି ସମର୍ଥନ ମୋଦୀ ସରକାର ପ୍ରତି ରହିବ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି।

Comments are closed.