Latest Odisha News

BREAKING NEWS

ନବୀନଙ୍କ ଭିଡିଓ…ବଢିଲା ଚର୍ଚ୍ଚା

ଭୁବନେଶ୍ବର : ଦଳ ଭାଙ୍ଗିବା ଭୟ ନା ସରକାର ଭାଙ୍ଗିବା ନେଇ ଭବିଷ୍ୟବାଣୀ ? ନିକଟରେ ଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିଥିଲେ ନବୀନ । ତେବେ ସେମାନଙ୍କୁ ଯାହା କହିଲେ, ତାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର କଳ୍ପନା ଜଳ୍ପନା କରାଯାଉଛି । ବିଜେଡିର ପରାଜୟ ପରଠୁ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିଛି । ଯୁବ ଓ ଛାତ୍ର ନେତା ତ ଖୋଲାଖୋଲି ଅସନ୍ତୋଷ ବି ଜାହିର କଲେଣି, ତେଣୁ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାକୁ ନବୀନ ଏପରି କହିଥିବା ଚର୍ଚ୍ଚା ହେଉଛି । ତେବେ ଦେଶରେ ମାଇନରିଟି ସରକାର କହି ଅନ୍ୟ କିଛି ଦିଗକୁ ଦର୍ଶାଇଛନ୍ତି କି ନବୀନ?

 

କଣ କହିଲେ ନବୀନ ?

ନିର୍ବାଚନରେ ବିପର୍ଯ୍ୟୟ ପରଠୁ ଆକ୍ଟିଭ୍ ନବୀନ ପଟ୍ଟନାୟକ। ତେବେ ଗତ ଶନିବାର ନେତା ଓ କର୍ମୀଙ୍କୁ ନବୀନଙ୍କ ବୟାନ କଣ ସୂଚାଉଛି? ରାଜ୍ୟରେ ବିଜେପି ସରକାର ଅଛି ସତ ହେଲେ ମ୍ୟାଜିକ ନମ୍ବରଠାରୁ ମାତ୍ର ଚାରି ଜଣ ଅଧିକ ବିଧାୟକ ଅଛନ୍ତି। ସେହିପରି କେନ୍ଦ୍ରରେ ବିଜେପିର ସଂଖ୍ୟାଲଘୁ ସରକାର ରହିଛି । ତେଣୁ ଅପେକ୍ଷା କରିବା ସହ ଏକଜୁଟ ହୋଇ ପରିଶ୍ରମ କରିବାକୁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

 

ବିଜେଡି ଭାଙ୍ଗିବା ନେଇ ଭୟ !

ପରାଜୟ ପରେ ବିଜେଡି ଭାଙ୍ଗିବା ନେଇ ଭୟ କରୁଛନ୍ତି କି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ବାଚନ ପୂର୍ବ ଯାଏଁ ଦଳୀୟ ନେତା ଓ କର୍ମୀଙ୍କଠାରୁ ଦୂରେଇ ରହୁଥିବା ନବୀନ ଏବେ ପ୍ରତିଦିନ ପରାଜୟର ସମୀକ୍ଷା କରୁଛନ୍ତି । ନିର୍ବାଚନମଣ୍ଡଳଓ୍ବାରି ନେତାଙ୍କୁ ଡାକି ଆଲୋଚନା କରିବା ସହ ଫିଡବ୍ୟାକ ବି ନେଉଛନ୍ତି । ନବୀନଙ୍କ ଏଭଳି ବଦଳିଥିବା ଅନ୍ଦାଜ ପଛରେ କଣ ରହିଛି କାରଣ ? ନିର୍ବାଚନ ହାରିବା ପରଠୁ ଦଳ ଭିତରେ ଜବରଦସ୍ତ ଅସନ୍ତୋଷ ରହିଛି । ବଡ ନେତା ଚୁପ୍ ରହୁଛନ୍ତି ତ ଯୁବ ଓ ଛାତ୍ରନେତା ସିଧା ସିଧା ପାଣ୍ଡିଆନ ଓ ଦଳର ଅନ୍ୟ କିଛି ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି । ସବୁଠୁ ଶୃଙ୍ଖଳିତ ଦଳ ବିଜେଡିରେ ଜୋରଦାର ଶୁଭିଲାଣି ଅସନ୍ତୋଷର ସ୍ବର। କେଉଁଠି ନା କେଉଁଠି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବି ଦଳ ଭାଙ୍ଗିବା ନେଇ ଭୟ କରୁଛନ୍ତି କି? ନିର୍ବାଚନ ଚାଲିଥିବା ବେଳେ ବି ଅପରେସନ୍ ଲୋଟସ ନେଇ ଆଶଙ୍କା କରିଥିଲେ ଭିକେ ପାଣ୍ଡିଆନ । ବିଜେପି 50 ଟପିଲେ ବିଜେଡିକୁ ଭାଙ୍ଗି ସରକାର କରିପାରେ ବୋଲି କହିଥିଲେ। ପରାଜୟ ପରେ ବିଜେଡି ଭିତରେ ଅସନ୍ତୋଷ ଜୋରଦାର ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କୁ ଏଭଳି କହି ନବୀନ ଏକଜୁଟ୍ କରିବାକୁ ଉଦ୍ୟମ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 

ସଂଖ୍ୟାଲଘୁ ସସପେନ୍ସ

କାହିଁକି ରାଜ୍ୟ ଓ କେନ୍ଦ୍ରରେ ସରକାରଙ୍କ ପାଖରେ ଥିବା ସଂଖ୍ୟାକୁ ନେଇ ଏଭଳି କହିଲେ ନବୀନ ? ଭବିଷ୍ୟତରେ ସରକାର ବିପଦରେ ପଡିବା ନେଇ ସମ୍ଭାବନା ଦେଖୁଛନ୍ତି କି? ରାଜନୀତିରେ ଏଣ୍ଟ୍ରି ପରଠୁ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକ ନିଜ ବୟାନରେ ବଡ ରାଜନୈତିକ ଓଲଟପାଲଟକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି କି ? କେନ୍ଦ୍ରରେ ବିଜେପି 240 ସିଟ୍ ଜିତିବା ସହ ସହଯୋଗୀଙ୍କ ସାହାରାରେ ସରକାର ଗଠନ କରିଛି । ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାରଙ୍କ ୟୁଟର୍ଣ୍ଣର ଇତିହାସ ବେଶ୍ ପୁରୁଣା ରହିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଟିଡିପି ଓ ଜେଡିୟୁର ସମର୍ଥନର ଆୟୁଷକୁ ନେଇ ବି ପ୍ରଶ୍ନ ଉଠୁଛି। କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟର ଅନେକ ନେତା ଏନେଇ ବି ବାରମ୍ବାର ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ଏଭଳି ସ୍ଥିତିରେ କଣ କହିବାକୁ ଚାହୁଁଛନ୍ତି ନବୀନ ? କେନ୍ଦ୍ରରେ ସରକାର ଭାଙ୍ଗିବା ନେଇ ଆକଳନ କରୁଛନ୍ତି କି ? ସଂଖ୍ୟାଲଘୁ ସରକାର କଥା କହି କାହିଁକି କର୍ମୀ ଓ ନେତାଙ୍କୁ ଏକଜୁଟ୍ ହୋଇ ରହିବାକୁ କହିଲେ ? ଟର୍ମ ପୂରଣ ହେବା ପୂର୍ବରୁ ପୁଣି ନିର୍ବାଚନ ନେଇ ଇସାରା କରୁଛନ୍ତି କି ନବୀନ ?

ଜାତୀୟ ରାଜନୀତିରେ କେବେବି ସକ୍ରିୟ ରହିନଥିଲେ ବି ନବୀନ ପଟ୍ଟନାୟକ ଓଡିଶାରେ ନିଜ ଦବଦବା ପାଇଁ ସବୁବେଳେ ଫ୍ୟାକ୍ଟର ହୋଇଛନ୍ତି । କେତେବେଳେ ବିଲକୁ ସମର୍ଥନ ଦେବା ହେଉ କି ଅନାସ୍ଥା ପ୍ରସ୍ତାବ ବେଳେ ମୋଦି ସରକାରଙ୍କ ସାଥିରେ ଠିଆ ହେବା ହେଉ, ବିଜେଡିକୁ ନେଇ ଚର୍ଚ୍ଚା ହୋଇଛି । ଇଣ୍ଡିଆ ମେଣ୍ଟ ଗଠନ ବେଳେ ବି ନୀତିଶ ଓ ମମତା ଓଡିଶା ଆସି ନବୀନଙ୍କୁ ଭେଟିଥିଲେ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଇଥିଲେ ବି ଜାତୀୟ ରାଜନୀତିରେ ନବୀନଙ୍କ ଦବଦବାକୁ ଦର୍ଶାଇଥିଲା। ତେବେ ଏଥର ଲୋକସଭାରେ ବିଜେଡିର ପ୍ରତିନିଧିତ୍ବ ଶୂନ ହେଲେ ବି ରାଜ୍ୟସଭାରେ ସ୍ବର ରହିଛି । ତେଣୁ ନବୀନଙ୍କ ବୟାନର ଇସାରା କେଉଁଆଡେ, ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

Comments are closed.