Latest Odisha News

BREAKING NEWS

ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପିକୁ ଜଗନଙ୍କ ଦଳରୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ଲୋକସଭା ବାଚସ୍ପତି ପଦ ପାଇଁ ବୁଧବାର ହେବାକୁ ଥିବା ନିର୍ବାଚନରେ ବିଜେପି ସାଂସଦ ଓମ୍ ବିର୍ଲାଙ୍କୁ ସମର୍ଥନ କରିବ।

ସାଧାରଣ ନିର୍ବାଚନରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଡିପିଠାରୁ ପରାସ୍ତ ହୋଇଥିବା ୱାଇଏସଆରସିପିର ନିମ୍ନ ସଦନରେ ମାତ୍ର ୪ ଜଣ ସାଂସଦ ଅଛନ୍ତି। ୨୦୧୯ ନିର୍ବାଚନରେ ଦଳ ୨୫ଟି ଆସନରୁ ୨୨ଟିରେ ବିଜୟୀ ହୋଇଥିଲା, କିନ୍ତୁ ଚଳିତ ବର୍ଷ ଏହାର ପୁନରାବୃତ୍ତି ହୋଇପାରିନି। ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ୧୬ଟି ଆସନ ରେ ବିଜୟୀ ହୋଇଥିବା ବେଳେ ଏହାର ସହଯୋଗୀ ଦଳ ବିଜେପି ଓ ଅଭିନେତା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ୫ଟି ଆସନରେ ବିଜୟୀ ହୋଇଛି।

ତେଣୁ ସମର୍ଥନ ପ୍ରସ୍ତାବ ଗୁରୁତ୍ୱପୂର୍ଣ୍ଣ ହୋଇନପାରେ । ଯେହେତୁ ଓମ୍ ବିର୍ଲା ଏବଂ ବିଜେପି ପାଖରେ ବିଜୟ ସୁନିଶ୍ଚିତ କରିବା ପାଇଁ ପୂର୍ବରୁ ସଂଖ୍ୟା ଅଛି। କିନ୍ତୁ ଏହା ସାମ୍ପ୍ରତିକ ଧାରାକୁ ସୂଚାଇଥାଏ।

ୱାଇଏସଆରସିପି ଅନେକ ସମୟରେ ସଂସଦରେ, ବିଶେଷକରି ରାଜ୍ୟସଭାରେ ବିଜେପିକୁ ସମର୍ଥନ କରିଆସୁଛି ଏବଂ ସଂଖ୍ୟା ଅଭାବରୁ ଆଇନ ପାରିତ କରିବାରେ ସାହାଯ୍ୟ କରିଛି । ଉଦାହରଣ ସ୍ୱରୂପ, ପୂର୍ବ ସରକାରରେ ଜଗନ ରେଡ୍ଡୀଙ୍କ ଦଳ ନାଗରିକତା ସଂଶୋଧନ ଆଇନ ପାରିତ କରିବା ଏବଂ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲା।

ଏବେ ବିଜେପିକୁ ୪ଟି ଅତିରିକ୍ତ ଭୋଟ୍ ମିଳିବା ଅର୍ଥ ଓମ୍ ବିର୍ଲାଙ୍କୁ ୨୯୭ ସାଂସଦଙ୍କ ସମର୍ଥନ ମିଳିବ। ଯାହା ତାଙ୍କ ବିଜୟକୁ ଆହୁରି ଦୃଢୀଭୁତ କରିଛି। ୱାଇଏସଆରସିପିର ପ୍ରତିଦ୍ୱନ୍ଦ୍ୱୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିର ୧୬ ଟି ଭୋଟ ସମେତ ବିଜେପି ପାଖରେ ନିଜ ସାଂସଦଙ୍କ ଠାରୁ ୨୪୦ ଏବଂ ଏନଡିଏ ସହଯୋଗୀଙ୍କ ଠାରୁ ୫୩ ଟି ଭୋଟ ରହିଛି। ଅପରପକ୍ଷରେ ବିରୋଧୀଙ୍କ ପାଖରେ ୨୩୨ ଜଣ ସାଂସଦ ଅଛନ୍ତି। ବାଚସ୍ପତି ନିର୍ବାଚନ ସାଧାରଣ ସଂଖ୍ୟାଗରିଷ୍ଠତା ଉପରେ ଆଧାରିତ।

Comments are closed.