Latest Odisha News

ରଥଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ସ୍ଵତନ୍ତ୍ର ସଚେତନତା ଅଭିଯାନ

ଭୁବନେଶ୍ୱର: ରଥ ଯାତ୍ରା ମହୋତ୍ସବ ସମୟରେ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରାଇବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି ପୂର୍ବତଟ ରେଳପଥ। ଏହି ମହୋତ୍ସବ ସମୟରେ ଯାତ୍ରୀ ମାନଙ୍କ ଯାତାୟାତର ଯେପରି କୌଣସି ଅସୁବିଧା ନହୁଏ ସେଠି ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିଛି।

ତୀର୍ଥଯାତ୍ରୀ ଏବଂ ଯାତ୍ରୀମାନଙ୍କୁ ଫୁଟବୋର୍ଡ, ବଫର୍ କିମ୍ବା ଟ୍ରେନ୍ କମ୍ପାର୍ଟମେଣ୍ଟର ଛାତ ଉପରେ ଯାତ୍ରା କରିବା ଭଳି ବିପଦପୂର୍ଣ୍ଣ ଆଚରଣରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି । ତୀର୍ଥଯାତ୍ରୀ ଏବଂ ଭକ୍ତ ମାନଙ୍କୁ କୌଣସି ଜ୍ୱଳନ୍ତ ଜିନିଷ ନ ନେବା, ଅପରିଚିତ ବ୍ୟକ୍ତିଙ୍କ ଠାରୁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନକରିବା ଏବଂ ଅପ୍ରତ୍ୟାଶିତ ବ୍ୟାଗ କିମ୍ବା ସନ୍ଦେହଜନକ ଜିନିଷ ନଛୁଇଁବାକୁ ପରାମର୍ଶ ଦେଇଛି ପୂର୍ବତଟ ରେଳପଥ।

ଯାତ୍ରୀମାନଙ୍କୁ ସଚେତନ କରିବା ବ୍ୟତୀତ, ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଏବଂ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ନିୟୋଜନ କରି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ରଥ ଯାତ୍ରା ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ୩୧୫ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରୁ ଚଳାଚଳ ପାଇଁ ଘୋଷଣା କରିଛି । ଯାତ୍ରୀଙ୍କ ଯାତ୍ରା ସୁବିଧା ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନରେ ଅତିରିକ୍ତ ଟିକେଟ୍ କାଉଣ୍ଟର, ଅନୁସନ୍ଧାନ କାଉଣ୍ଟର ଏବଂ ସୂଚନା କେନ୍ଦ୍ର ଯୋଗାଇ ଦେଇଛି ।

Comments are closed.