Latest Odisha News

କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା ?

ଭୁବନେଶ୍ବର: ଯାଜପୁର କୁସୁମା ପୋଖରୀ ନିକଟରେ ଥିବା ବିଳାସମୟ ବଙ୍ଗଳାକୁ ନେଇ ବଢୁଛି କନଫ୍ୟୁଜନ୍ । କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା? ସରକାରୀ ଜମି ଉପରେ ଥିବା ବଙ୍ଗଳା ପାଇଁ କେଉଁ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ କରାଯାଇଛି ? ପ୍ରଥମେ ଯାଜପୁର ପୌରପାଳିକା ପକ୍ଷରୁ କୁସୁମାରେ ରହିଥିବା ୯ଟି ବଙ୍ଗଳା କ୍ରୀଡା ବିଭାଗ ଅଧିନରେ ଆସୁଥିବା କୁହାଯାଇଥିଲା । ତେବେ ପୌରପାଳିକାର ଏଭଳି ସୂଚନାକୁ ଖଣ୍ଡନ କରିଛି କ୍ରୀଡା ବିଭାଗ । କୁସୁମା ପୋଖରୀ ନିକଟରେ ନିର୍ମାଣ ହୋଇଥିବା ବଙ୍ଗଳା ପାଇଁ ବିଭାଗ ପକ୍ଷରୁ କୌଣସି ଅର୍ଥ ଦିଆଯାଇନଥିବା ସ୍ପଷ୍ଟ କରାଯାଇଛି ।

କ’ଣ କହିଲେ ପୌର କର୍ତ୍ତୃପକ୍ଷ?

ଯାଜପୁର ଜିଲ୍ଲା କୁସୁମା ପୋଖରୀ ନିକଟରେ ରହିଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠିଥିଲା, କେଉଁ ବିଭାଗ ପକ୍ଷରୁ ସେଠାରେ ବଙ୍ଗଳା ନିର୍ମାଣ କରାଯାଇଥିଲା? ଗତକାଲି ଏହାର ଉତ୍ତର ରଖି ଯାଜପୁର ପୌର କର୍ତ୍ତୃପକ୍ଷ, ବଙ୍ଗଳା କ୍ରୀଡା ବିଭାଗ ଅଧୀନରେ ଆସୁଥିବା କହିଥିଲେ । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଛି । ଏଥିପାଇଁ ବିଭାଗକୁ ପର୍ଯ୍ୟାୟକ୍ରମେ ୨ଏକର ୪୧ଡିସିମିଲି ଜାଗା ଦିଆଯାଇଥିଲା । ସେହି ଜମିରେ ସୁଇମିଂ ପୁଲ୍ ଓ ସ୍ପୋର୍ଟର୍ସ କମ୍ପ୍ଲେକ୍ସ ସହ ୯ଟି ସ୍ପୋର୍ଟସ ବଙ୍ଗଳା ନିର୍ମାଣ କରାଯାଇଛି । ପୌରପାଳିକା କେବଳ ଜମି ଯୋଗାଇଥିବା ବେଳେ କୌଣସି ଆର୍ଥିକ ସହାୟତା ଦେଇନଥିବା କୁହାଯାଇଥିଲା ।

କ’ଣ କହିଲା କ୍ରୀଡା ବିଭାଗ ?

ବିବାଦୀୟ କୁସୁମା ବଙ୍ଗଳା କ୍ରୀଡା ବିଭାଗ ଅଧିନରେ ଥିବା ନେଇ ପୌରପାଳିକା ପକ୍ଷରୁ କୁହାଯିବା ପରେ କ୍ରୀଡା ବିଭାଗ ସ୍ପଷ୍ଟୀକରଣ ରହିଥିଲା । କୁସୁମାରେ ନିର୍ମିତ ବଙ୍ଗଳା ପାଇଁ ବିଭାଗ ପକ୍ଷରୁ ଅର୍ଥ ଖର୍ଚ୍ଚ କରାଯାଇନଥିବା କ୍ରୀଡା ବିଭାଗ ସ୍ପଷ୍ଟ କରିଛି । ଏପରିକି କୁସୁମା ବଙ୍ଗଳା ପ୍ରକଳ୍ପ ନେଇ ବିଭାଗ ପାଖରେ କୌଣସି ତଥ୍ୟ ନଥିବା କୁହାଯାଇଛି ।

କ’ଣ କହିଲେ ଜିଲ୍ଲାପାଳ?

ଯାଜପୁର ପୌରପାଳିକା ଜମିରେ ପ୍ରକଳ୍ପ ନିର୍ମାଣ ହୋଇଛି । ତେବେ ଏହା କ୍ରୀଡା ବିଭାଗ ଅଧୀନରେ ନାହିଁ । ଘଟଣାର ତଦନ୍ତ କରାଯାଉଛି, ସେଥିରୁ ସ୍ପଷ୍ଟତା ଆସିବ। ତେବେ ମାଲିକାନା କାହା ପାଖରେ ରହିଛି, ଏପର୍ଯ୍ୟନ୍ତ ଜଣାପଡିନି। ସରକାରୀ ଜମିରେ ପ୍ରକଳ୍ପ ହୋଇଥିବାରୁ ବଙ୍ଗଳାର କଷ୍ଟଡି ଜିଲ୍ଲା ପ୍ରଶାସନ ନେବ । କମିଟି ଗଠନ କରି ଆଗକୁ ବଙ୍ଗଳା କିଭଳି ଲୋକଙ୍କ ପାଇଁ ଖୋଲାଯିବ? କେତେ ଭଡା ନିଆଯିବ? କେମିତି ବୁକିଂ ହେବ? କିଏ ମେଣ୍ଟେନାନ୍ସ କରିବ? ବଙ୍ଗଳା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ରୋଡମ୍ୟାପ ପ୍ରସ୍ତୁତ କରିବ ।

କୁସୁମା ବଙ୍ଗଳାକୁ ନେଇ ବିବାଦ କ’ଣ?

୨୦୧୮ ମସିହା ମାର୍ଚ୍ଚ ୨୫ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁସୁମା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦଘାଟନ କରିଥିଲେ । ତେବେ କୁସୁମା ପରିସରରେ ଥିବା ଶିଶୁ ଉଦ୍ୟାନ ସ୍ଥାନରେ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଛି । କୁସୁମାରେ ୯ଟି ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ତେବେ ପ୍ରଶ୍ନ ଉଠୁଛି, କିଏ ଏସବୁ ବଙ୍ଗଳା ନିର୍ମାଣ କରିଛି? କେଉଁ ବିଭାଗ ପକ୍ଷରୁ ଏଥିପାଇଁ ଖର୍ଚ୍ଚ କରାଯାଇଛି? ସରକାରୀ ଜାଗାରେ ଥିବା ଏସବୁ ବଙ୍ଗଳାକୁ ପର୍ଯ୍ୟଟକ କିମ୍ବା ସାଧାରଣ ଲୋକଙ୍କ ପାଇଁ କାହିଁକି ଖୋଲା ଯାଉନଥିଲା ? ବଙ୍ଗଳାକୁ କେଉଁମାନେ ଆସୁଥିଲେ ? ଏଠାରେ ରହିବାକୁ କେତେ ଟଙ୍କା ଦେବାକୁ ପଡୁଥିଲା? ବଙ୍ଗଳା କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲା ? ମଉଜ ମଜଲିସର ଠିକଣା ପାଲଟିଥିଲା କି କୁସୁମା ବଙ୍ଗଳା?

କୁସୁମା ବଙ୍ଗଳାକୁ ନେଇ ସ୍ଥାନୀୟ ଲୋକେ ସଂଗୀନ ଅଭିଯୋଗ ଆଣୁଛନ୍ତି । ରାତିରେ ଦାମୀ ଗାଡି ଲାଗୁଥିଲା । ଏପରିକି ନେତା, ପ୍ରଶାସନିକ ଅଧିକାରୀ ବି ସେଠାକୁ ଆସୁଥିବା କହୁଛନ୍ତି । ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆଡକୁ ବି ସ୍ଥାନୀୟ ଲୋକେ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ପୌରପାଳିକାର ବୟାନ ଓ ପରେ କ୍ରୀଡା ବିଭାଗର ସ୍ପଷ୍ଟୀକରଣ, କୁସୁମା ବିବାଦ ନିଆଁରେ ଘିଅ ଢାଳିଛି । କିଏ ତଥ୍ୟ ଲୁଚାଉଛନ୍ତି ଓ କାହିଁକି? ସେନେଇ ପ୍ରଶ୍ନ ଉଠୁଛି । ତେଣୁ ପୂରା ଘଟଣାରେ ନିରପେକ୍ଷ ତଦନ୍ତ କରିବା ପାଇଁ ଦାବି ହେଉଛି ।

Comments are closed.